ଭାରତୀୟ ମହିଳା ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଦକ୍ଷିଣ ଆଫ୍ରିକାରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହାରି ଭିତରୁ ପ୍ରଥମ ଦୁଇଟି ମ୍ୟାଚ ଶେଷ ହୋଇସାରିଛି ଓ ଭାରତୀୟ ମହିଳା ଦଳ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ସିରିଜରେ ବର୍ତ୍ତମାନ କର ବା ମର ସ୍ଥିତିରେ ଦଳ, ଆଜିର ନିର୍ଣ୍ଣାୟକ ମ୍ୟାଚରେ ପରାସ୍ତ ହେଲେ ଭାରତୀୟ ମହିଳା ଦଳ ସିରିଜ ହାରିଯିବ । ତେଣୁ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଭାରତୀୟ ମହିଳା ଦଳ ।
ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଡର୍ବାନରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା । ଦଳର ଅଧିନାୟକ ହର୍ମନପ୍ରୀତ କୌର ଅପରାଜିତ ରହି ୪୭ ରନ କରିଥିବାବେଳେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୭ ରନ ସଂଗ୍ରହ କରିଥିଲା ଭାରତୀୟ ମହିଳା ଦଳ । ଦକ୍ଷିଣ ଆଫ୍ରିକା ଅଧିନାୟକ ଲୌରା ୱଲଭାର୍ଟଙ୍କ ଅର୍ଦ୍ଧଶତକ ବଳରେ ୧୯.୧ ଓଭରରେ ୧୫୮ ରନ ସଂଗ୍ରହ କରି ପ୍ରଥମ ମ୍ୟାଚ ଜିତିଥିଲେ ଦକ୍ଷିଣ ଆଫ୍ରିକା ମହିଳା ଦଳ ।
ଦ୍ଵିତୀୟ ମ୍ୟାଚରେ ମଧ୍ୟ ଟସ୍ ହାରିବା ପରେ ଭାରତୀୟ ମହିଳା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଥିଲା । ଶେଫାଳି ବର୍ମାଙ୍କ ୫୭ ରନ ସହିତ ୨୦ ଓଭରରେ ୧୦ ୱିକେଟ୍ ହରାଇ ୧୪୭ ରନ ସଂଗ୍ରହ କରିଥିଲା ଭାରତ । ଦ୍ଵିତୀୟ ଇନିଂସରେ ଲୌରା ୱଲଭାର୍ଟ ଓ ସୁନି ଲୁସଙ୍କ ଅର୍ଦ୍ଧଶତକ ସହ ମାତ୍ର ୧୭.୧ ଓଭରରେ ମ୍ୟାଚ ଜିତିଥିଲା ଦକ୍ଷିଣ ଆଫ୍ରିକା ମହିଳା ଦଳ ।
ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ପରାଜୟ ପରେ ଭାରତୀୟ ମହିଳା ଦଳକୁ ଆଜି ଅଣ୍ଟା ଭିଡିବାକୁ ହେବ । କାରଣ ଆଜିର ମ୍ୟାଚ ହାରିଲେ ଏହି ସିରିଜ ହରିବାକୁ ପଡିବ । ତେଣୁ ଆଜି ମ୍ୟାଚ ଜିତି ଦୃଢ କମ୍-ବ୍ୟାକ୍ କରିବାକୁ ଚେଷ୍ଟା କରିବ ଭାରତୀୟ ମହିଳା ଦଳ ।
ତେବେ ୨୦୨୫ ଆଇସିସି ମହିଳା ବିଶ୍ୱକପ ବିଜେତା ଭାରତ ଆଉ କିଛି ମାସ ପରେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ଗୁଡିକ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ଚୟନ କରାଯିବ । ୨୦୨୪ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଫ୍ୟାନ୍ସଙ୍କୁ ନିରାଶ କରିଥିଲା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପରାଜିତ ହେବାରୁ ଦଳର ବିଶ୍ୱକପ ଯାତ୍ରା ସମାପ୍ତ ହୋଇଥିଲା । ୨୦୨୫ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ବଳରେ ବିଶ୍ୱକପ ଜିତିଥିବା ଭାରତୀୟ ମହିଳା ଦଳ ଠାରୁ ଭାରତୀୟ ଫ୍ୟାନ୍ସ ବେଶ ଆଶା ରଖିଛନ୍ତି । ତେଣୁ ଆଜିର ମ୍ୟାଚରେ ବିଜୟ ହାସଲ କରି ବିଜେତାଙ୍କ ଭଳି କମ-ବ୍ୟାକ କରିବାକୁ ଚେଷ୍ଟା କରିବେ ହର୍ମନପ୍ରୀତ କୌରଙ୍କ ଏହି ଯୁବ ବାହିନୀ ।