ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଜି ଖେଳାଯିବ ଚଳିତ ଆଇପିଏଲର ୩୧ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦ ନିଜ ଶେଷ ଦୁଇଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଥିବାବେଳେ ଆଜି ପୁନର୍ବାର ଘରୋଇ ମୈଦାନର ଫାଇଦା ଉଠାଇବାକୁ ଚେଷ୍ଟା କରିବ । ଦିଲ୍ଲୀ ଓ ହାଇଦ୍ରାବାଦ ପାଖରେ ବର୍ତ୍ତମାନ ୬ ପଏଣ୍ଟ ରହିଛି । ରନ ରେଟ୍ ରେ ଆଗୁଆ ଥିବାରୁ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଓ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି, ତଥାପି ଦିଲ୍ଲୀ, ହାଇଦ୍ରାବାଦ ଠାରୁ ଗୋଟେ ମ୍ୟାଚ କମ ମଧ୍ୟ ଖେଳିଛି ।
ହାଇଦ୍ରାବାଦର ଫୁଲ ଟାଇମ କ୍ୟାପଟେନ ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦ ବୋଲିଂ ୟୁନିଟ ଦୁର୍ବଳ ଦେଖାଯାଉଥିଲା, କିନ୍ତୁ ଶେଷ ଦୁଇଟି ମ୍ୟାଚରେ ହାଇଦ୍ରାବାଦର ବୋଲିଂ ବେଶ ପ୍ରଭାବିତ କରିଛି। ଏହା ସହ କମିନ୍ସ ଦଳରେ ଯୋଗ ଦେଇଛନ୍ତି, କିନ୍ତୁ ସେ ଆଜିର ମ୍ୟାଚରେ ଖେଳିବେ ନାହିଁ। ହାଇଦ୍ରାବାଦର ଯୁବ ତାରକା ପ୍ରଫୁଲ ହିଙ୍ଗେ, ସାକିବ ହୁସେନଙ୍କ ଚମତ୍କାର ବୋଲିଂ ବଳରେ ହାଇଦ୍ରାବାଦ ମ୍ୟାଚ ଜିତିଛି । ରାଜସ୍ଥାନ ବିପକ୍ଷରେ ପ୍ରଫୁଲ ହିଙ୍ଗେ, ସାକିବ ହୁସେନ ଓ ଈଶାନ ମାଲିଙ୍ଗା ନିଜ ବୋଲିଂ ବଳରେ ହାଇଦ୍ରାବାଦକୁ ମ୍ୟାଚ ଜିତାଇଥିଲେ । ଚେନ୍ନାଇ ବିପକ୍ଷରେ ମଧ୍ୟ ହାଇଦ୍ରାବାଦର ବୋଲିଂ ୟୁନିଟର ମିଳିତ ପ୍ରଦର୍ଶନରେ ମ୍ୟାଚ ଜିତିଥିଲା ହାଇଦ୍ରାବାଦ ।
ଆଇପିଏଲରେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ଚଳିତ ସିଜିନରେ ୬ ଟି ମ୍ୟାଚରୁ ୪ ଟି ମ୍ୟାଚରେ ୨୦୦ ରୁ ଅଧିକ ରନ ସଂଗ୍ରହ କରିଛି ଓ ଗୋଟିଏ ମ୍ୟାଚରେ ୧୯୦ ରନରୁ ଅଧିକ ରନ ସଂଗ୍ରହ କରିଛି । ସ୍କୋରବୋର୍ଡ଼ରେ ୨୦୦ ରନ କରିବାରେ ସକ୍ଷମ ଥିବା ଏହି ଦଳର ପ୍ରମୁଖ ବ୍ୟାଟର ଟ୍ରାଭିସ ହେଡ଼, ଅଭିଶେଖ ଶର୍ମା ଓ ଅଧିନାୟକ ଈଶାନ କିସାନ ଚଳିତ ସିଜିନରେ ସ୍ଥିର ପ୍ରଦର୍ଶନ କରିବାରେ ସଂଘର୍ଷ କରୁଛନ୍ତି । ପ୍ୟାଟ କମିନ୍ସ ଦଳକୁ ଫେରିବା ପରେ ହାଇଦ୍ରାବାଦର ବୋଲିଂ ୟୁନିଟ ବେଶ ମଜବୁତ ହୋଇଯିବ । ନିର୍ଭୀକ ଅଧିନାୟକଙ୍କ ନେତୃତ୍ୱରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।