ଅହମ୍ମଦାବାଦ: ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ବୋଲରଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଦ୍ୱିତୀୟ ବିଜୟ ହାସଲ କରିଛି । କ୍ରମାଗତ ଚତୁର୍ଥ ମ୍ୟାଚ୍ ହାରିବା ପରେ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ୩୦ତମ ମ୍ୟାଚରେ ମୁମ୍ବାଇ ଗୁଜରାଟ ଟାଇଟନ୍ସକୁ ୯୯ ରନର ବଡ ବ୍ୟବଧାନରେ ହରାଇଛି । ବିଜୟ ସହ ମୁମ୍ବାଇ ଦଶମରୁ ସପ୍ତମ ସ୍ଥାନକୁ ଉଠିଥିବା ବେଳେ ଗୁଜରାଟ ଷଷ୍ଠ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତିଳକ ବର୍ମାଙ୍କ ଅପରାଜିତ ୧୦୧ ରନର ଶତକୀୟ ଇନିଂସ ଓ ନମନ ଧୀରଙ୍କ ୪୫ ରନ ବଳରେ ୫ ୱିକେଟ୍ ହରାଇ ୧୫୫ ରନ କରିଥିଲା । ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଥିଲା ।
ମୁମ୍ବାଇ ଇନିଂସ
ପ୍ରଥମେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା । ଗତ ମ୍ୟାଚର ଶତକବୀର ଡିକକ ୧୩ ରନ, ଡାନିଶ ମାଲେୱାର ୨ ରନ କରି ଆଉଟ୍ ହୋଇଥିଲେ । ପୁଣି ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ୧୫ ରନ କରି ନିରାଶ କରିଥିଲେ । ଉପର କ୍ରମରେ ନମନଧୀର ୩୨ ବଲରୁ ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ । ତେବେ ମୁମ୍ବାଇ ୧୪ ଓଭରରେ ୪ ୱିକେଟ୍ ହରାଇ କେବଳ ୧୦୩ ରନ କରିଥିଲା । ତିଳକ ବର୍ମା ୨୨ ବଲରୁ ୧୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଥିଲେ।
ତେବେ ଶେଷ ୬ ଓଭରରେ ତିଳକ ବର୍ମା ଏମିତି ବ୍ୟାଟିଂ କଲେ ଯାହା ଅନେକ ବର୍ଷ ଧରି କ୍ରିକେଟ୍ ପ୍ରେମୀ ମନେ ରଖିବେ । ହାର୍ଦ୍ଦିକ ୧୫ ରନ କରି ଆଉଟ୍ ହୋଇଥିଲେ ହେଁ ତିଳକ ବର୍ମା ଛକା ଓ ଚୌକା ବର୍ଷା କରି ଚାଲିଥିଲେ । ସେ ନିଜର ଅବଶିଷ୍ଟ ୨୩ ବଲରୁ ୮୪ ରନ କରି ୪୫ ବଲରୁ ଶତକ ହାସଲ କରିଥିଲେ । ଏଥିରେ ୮ ଚୌକା ଓ ୭ ଛକା ସାମିଲ୍ । ଫଳରେ ମୁମ୍ବାଇ ୧୯୯ ରନ କରି ପାରିଥିଲା । ଏହିପରି ଭାବେ ମୁମ୍ବାଇ ଶେଷ ୬ ଓଭରରେ ୯୬ ରନ କରି ପାରିଥିଲା ।
ଗୁଜରାଟ ଇନିଂସ
ଜବାବରେ ଗୁଜରାଟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଯଶପ୍ରୀତ ବୁମରା ଇନିଂସର ପ୍ରଥମ ଓଭରର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ୍ କରିଥିଲେ । ପୁଣି ଜୋସ ବଟଲର ୫ ରନ କରି ଆଉଟ୍ ହେବା ଗୁଜରାଟକୁ ବ୍ୟାକଫୁଟକୁ ଠେଲିଥିଲା । ମୁମ୍ବାଇ ପକ୍ଷରୁ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଅଶ୍ୱନୀ କୁମାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ମିଚେଲ୍ ସାଣ୍ଟନର ଓ ଆଲ୍ଲା ଗଜନଫର ସ୍ପିନ ଜାଲରେ ଗୁଜରାଟ ବ୍ୟାଟରଙ୍କୁ ଫସାଇଥିଲେ ।
ଅଧିନାୟକ ଶୁଭମନ ଗିଲ୍ ୧୪ ରନ କରି ପାରିଥିଲେ । ୱାଶିଂଟନ ସୁନ୍ଦର ୨୬ ରନ କରିଥିଲେ । ଦଳର ଇନିଂସ ତାସଘର ପରି ଭୁଶୁଡି ପଡିଥିଲା । ଶେଷରେ ଗୁଜରାଟ ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଥିଲା । ବୋଲିଂରେ ମୁମ୍ବାଇ ପକ୍ଷରୁ ଅଶ୍ୱନୀ କୁମାର ୪ ଓଭରରେ ୨୪ ରନ ଦେଇ ୪ ୱିକେଟ୍ ନେଇଥିଲେ । ସାଣ୍ଟରନ ଓ ଗଜନଫର ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା ।