ରାଜସ୍ଥାନ ରୟାଲ୍ସର ଯୁବ ତାରକାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ପ୍ରତିଦ୍ୱନ୍ଦୀଙ୍କୁ ଚିନ୍ତାରେ ପକାଉଥିବା ବୈଭବ କୋଲକାତା ବିପକ୍ଷ ମ୍ୟାଚରେ ହାରିବା ପରେ ପଡିଆରେ ଏକୁଟିଆ ଦୁଃଖିତ ବସିଥିବା ନଜର ଆସିଥିଲେ । ୨୮ ବଲରେ ୪୬ ରନ କରିଥିଲେ ମଧ୍ୟ ମ୍ୟାଚରେ ପରାସ୍ତ ହେବା ପରେ ବୈଭବ ନିରାଶ ଥିବା ନଜର ଆସିଥିଲେ ।
ତେବେ ଭାଇରଲ ହେଉଥିବା ଭିଡିଓ ବୈଭବଙ୍କ ପଛ ପଟୁ ଉତ୍ତୋଳନ କରାଯାଇଛି । ୩ ନମ୍ବର ଜର୍ସି ପିନ୍ଧିଥିବା ବୈଭବ ଏକୁଟିଆ ବସିଥିବା ସହ ଲୁହ ପୋଛୁଥିବା ଭଳି ନଜର ଆସିଥିଲେ । ମ୍ୟାଚରେ ପରାସ୍ତ ହେବା ପରେ ଦୁଃଖିତ ଥିବା ସମୟର କୋଲକାତାର ଫିଲଡିଂ କୋଚ ଦିଶାନ୍ତ ୟାଗ୍ନିକ୍ ତାଙ୍କ ପାଖକୁ ଆସିଥିଲେ ଓ ତାଙ୍କ କାନ୍ଧରେ ହାତ ରଖି ସାନ୍ତ୍ୱନା ଦେଇଥିଲେ । ବୋଧ ହୁଏ ଦିଶାନ୍ତ ୟାଗ୍ନିକ୍ ତାଙ୍କୁ କହିଥିଲେ କି ମ୍ୟାଚରେ ହାର ଜିତ ଲାଗି ରହିଥାଏ । ୧୬ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଟି-୨୦ କ୍ରିକେଟରେ କିଛି ସମୟ ଭିତରେ କିଭଳି ମ୍ୟାଚର ମୋଡ ପରିବର୍ତ୍ତନ ହୁଏ ତାହା ରବିବାର ରବିବାର କୋଲକାତାର ଇଡେନ ଗାର୍ଡେନ୍ସରେ ରାଜସ୍ଥାନ ଓ କୋଲକାତା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦେଖିବାକୁ ମିଳିଛି । ୧୫୬ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ କୋଲକାତା ୮୫ ରନରେ ୬ ୱିକେଟ୍ ହରାଇଥିଲା । ରିଙ୍କୁ ସିଂ ଓ ଅନୁକୂଳ ରାୟଙ୍କ ଭାଗିଦାରୀତାରେ କୋଲକାତା ଶେଷ ଓଭରରେ ମ୍ୟାଚ ଜିତିଥିଲା ।
ରାଜସ୍ଥାନର ଚଳିତ ସିଜିନରେ ଏହା ହେଉଛି ଦ୍ଵିତୀୟ ପରାଜୟ । ୬ ଟି ମ୍ୟାଚରୁ ୪ ଟି ବିଜୟ ସହ ବର୍ତ୍ତମାନ ରାଜସ୍ଥାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ କୋଲକାତା ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ।