ହାଇଦ୍ରାବାଦ: ଅଭିଷେକ ଶର୍ମା ଆଇପିଏଲ ୨୦୨୬ ରେ ଦମଦାର ବ୍ୟାଟିଂ କରି ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ, ଏହି ବାମହାତୀ ବ୍ୟାଟର ମାତ୍ର ୪୭ ବଲରେ ନିଜର ଶତକ ପୂରଣ କରିଛନ୍ତି। ନୀତିଶ ରାଣାଙ୍କ ବଲକୁ ଛକା ମାରି ଅଭିଷେକ ଶର୍ମା ର ଶତକ ପୂରଣ କରିଥିଲେ। ଅଭିଷେକ ଶର୍ମା ନଅଟି ଛକା ଏବଂ ସାତଟି ଚୌକା ସହାୟତାରେ ଆଇପିଏଲ କ୍ୟାରିୟରରେ ଦ୍ୱିତୀୟ ଶତକ ପୂରଣ କରିଥିଲେ। ଏହି ଶତକ ସହିତ, ଅଭିଷେକ ଶର୍ମା ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି ।
ଅଭିଷେକ ଶର୍ମା ନିଜର ଏହି ଶତକ ଜରିଆରେ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ଥିଲା ତାଙ୍କର ନବମ ଟି-୨୦ ଶତକ। ବିରାଟ ଟି-୨୦ କ୍ରିକେଟରେ ନଅଟି ଶତକ ମଧ୍ୟ ମାରିଛନ୍ତି। ଭାରତ ତରଫରୁ ଟି-୨୦ରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର ତାଲିକାରେ ଏବେ ଯୁଗ୍ମ ଭାବେ କୋହଲି ଓ ଅଭିଷେକ ରହିଛନ୍ତି । ଅଭିଷେକ ମାତ୍ର ୧୮୪ ଇନିଂସରେ ନଅଟି ଟି-୨୦ ଶତକ ମାରିଥିବା ବେଳେ ବିରାଟ ମୋଟ ୪୦୯ ଇନିଂସ ଖେଳିଛନ୍ତି। ହାଇଦ୍ରାବାଦ ପାଇଁ ଅଭିଷେକଙ୍କ ଏହା ଦ୍ୱିତୀୟ ଶତକ ଏବଂ ଉଭୟ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମାରିଛନ୍ତି। ପୂର୍ବରୁ, ସେ ଗତ ବର୍ଷ ମାତ୍ର ୪୦ ବଲରେ ପଞ୍ଜାବ ବିପକ୍ଷରେ ଶତକ ହାସଲ କରିଥିଲେ।
ଅଭିଷେକ ଶର୍ମା ପ୍ରଥମ ବଲରୁ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ସେ ଟ୍ରାଭିସ୍ ହେଡ୍ ସହିତ ୫୩ ବଲ୍ ରେ ୯୭ ରନ୍ ଯୋଡ଼ିଥିଲେ। ତା’ପରେ ଇଶାନ୍ କିଶାନଙ୍କ ସହିତ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ଅଭିଷେକ ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ କିନ୍ତୁ ପରବର୍ତ୍ତୀ ୨୨ ବଲରେ ଶତକ ପୂରଣ କରିଥିଲେ। ଅଭିଷେକ ନୀତିଶ ରାଣାଙ୍କ ବଲରେ ପାଞ୍ଚଟି ଛକା ମାରି ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନରଙ୍କୁ ଖୁବ ପ୍ରହାର କରିଥିଲେ । ସେ କୁଲଦୀପ ଯାଦବଙ୍କ ବିପକ୍ଷରେ ମଧ୍ୟ ଦୁଇଟି ଛକା ମାରିଥିଲେ ।