ନୂଆଦିଲ୍ଲୀ: ଇରାନ ସହ ଜାରି ଅସ୍ତ୍ରବିରତିର ଅବଧି ବଢାଇବାକୁ ସ୍ପଷ୍ଟ ଭାବେ ମନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ବୟାନ ପରେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢିବାର ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥତା ସାଜିଥିବା ପାକିସ୍ତାନର କୂଟନୈତିକ ତତ୍ପରତା ପ୍ରକାଶ ପାଇଛି।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ସୋମବାର ଇରାନ ବୈଦେଶିକ ମନ୍ତ୍ରୀ ଆବାସ୍ ଆରାଘଚିଙ୍କ ସହ ଟେଲିଫୋନ ଆଲୋଚନା କରିଥିଲେ। ଆଲୋଚନା ସମୟରେ, ଡାର ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ନିରନ୍ତର ଆଲୋଚନା ଏବଂ କୂଟନୈତିକ ସମ୍ପର୍କର ଗୁରୁତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ। ସେ ବିବାଦୀୟ ପ୍ରସଙ୍ଗଗୁଡ଼ିକୁ ଶୀଘ୍ର ସମାଧାନ କରି ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ଵାପ କରିଥିଲେ। ଉଭୟ ନେତା ଯୋଗାଯୋଗ ବଜାୟ ରଖିବାକୁ ସହମତ ହୋଇଥିଲେ।
ଇସଲାମାବାଦ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ଇରାନ, ସୁନିଶ୍ଚିତ କଲା ପାକିସ୍ତାନ
ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ପାକିସ୍ତାନର ଆହ୍ଵାନ
ଇରାନୀ ଗଣମାଧ୍ୟମ ଅନୁଯାୟୀ, ଏହି ଆଲୋଚନାରେ ଯୁଦ୍ଧବିରତି, ଆଞ୍ଚଳିକ ବିକାଶ ଏବଂ ଅଧିକ ସମନ୍ୱୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସମୟରେ ହୋଇଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ଧରି ଚାଲିଥିବା ଯୁଦ୍ଧବିରତି ଶେଷ ହେବାକୁ ଯାଉଛି ଏବଂ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ଉପରେ ଅନିଶ୍ଚିତତା ବାଦଲ ରହିଛି।
ଇରାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଗଚି ସ୍ପଷ୍ଟ କରିଛନ୍ତି ଯେ ଇରାନ ଆମେରିକା ସହିତ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ ଅଂଶଗ୍ରହଣ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଏବେ ଦେଖିବାକୁ ବାକି ରହିଲା ଯେ, ଅସ୍ତ୍ରବିରତି ଅବଧି ନ ପଢିଲେ କଣ ପୁଣି ଥରେ ଆମେରିକା ଉପରେ ହମଲା କରିବ। ଅନ୍ୟପଟେ ପାକିସ୍ତାନର ମଧ୍ୟସ୍ଥତା ପ୍ରୟାସକୁ ମଧ୍ୟ ବଡ଼ ଝଟକା ଲାଗିପାରେ।