ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ଏପ୍ରିଲ ୨୨ରେ ବର୍ଷେ ପୂରିବ । ଆତଙ୍କବାଦୀଙ୍କ ଏମିତି କାପୁରୁଷ ହୀନ କାର୍ଯ୍ୟ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଦେଇଥିଲା ମୁହଁତୋଡ ଜବାବ । ମେ ୬-୭ ମଧ୍ୟ ରାତ୍ରିରେ ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଲସ୍କର ଏ ତୋଇବା, ଜୈଶ ଏ ମହମ୍ମଦ ଓ ହିଜବୁଲ୍ଲା ମୁଜାହିଦ୍ଦୀନର ଅନେକ ଶିବିର ଧ୍ୱଂସ କରିଥିଲେ । ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ହାଫିଜ ସଇଦ ଓ ମସୁଦ ଅଜହରର ଆତଙ୍କୀ ସାମ୍ରାଜ୍ୟ ମୂଳରୁ ଦୋହଲି ଯାଇଥିଲା । ପହଲଗାମ ହମଲାକୁ ଏକ ବର୍ଷ ପରେ ବି ଦୁହେଁ ଭୟର ସହ ବଞ୍ଚୁଛନ୍ତି । ଖୋଲାଖୋଲି ସାର୍ବଜନୀନ ସ୍ଥାନକୁ ବି ଆସୁ ନାହାନ୍ତି ।
ଅପରେସନ ସିନ୍ଦୂରରେ କଣ କଣ ଧ୍ୱଂସ ହୋଇଥିଲା ?
ଭାରତ ଅପରେସନ ସିନ୍ଦୂରରେ ୯ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ସର୍ବପ୍ରଥମ ହମଲା ମୁଦିରେକ ଉପରେ ହୋଇଥିଲା । ଏହା ଲାହୋରଠୁ ମାତ୍ର ୪୦ କିମି ଦୂରରେ ଅବସ୍ଥିତ । ମୁଦିରେକ ଲସ୍କର ଏ ତୋଇବାର ମୁଖ୍ୟାଳୟ ଥିଲା । ଏହାର ଆକାର ୨୦୦ ଏକର ରହିଛି । ଏଠାରେ ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ପ୍ରଶିକ୍ଷଣ ଦିଆଯାଉଥିଲା । ଦ୍ୱିତୀୟ ବଡ ଟାର୍ଗେଟ୍ ବହାବଲପୁରରେ ଥିଲା । ଏହି ସ୍ଥାନ ଲାହୋରଠୁ ପ୍ରାୟ ୪୦୦ କିମି ଦୂର । ଏହା ଜୈଶ ଏ ମହମ୍ମଦର ଗଡ । ଏଠାରେ କୁଖ୍ୟାତ ଜାମିଆ ମସଜିଦ ସୁଭାନ ଆଲ୍ଲାର ଆଡ୍ଡା ଥିଲା ।
ଭାରତୀୟ ସେନାର ଆଉ ଗୋଟିଏ ଟାର୍ଗେଟ୍ ମସୁଦ ଅଜହର ସହ ଜଡିତ ଏକ ମଦରସା ବି ଥିଲା । ପାକିସ୍ତାନୀ ମିଡିଆ ଅନୁସାରେ ଖୋଦ ମସୁଦ ଅଜହର ସ୍ୱୀକାର କରିଛି ଯେ, ଅପରେସନ ସିନ୍ଦୂରରେ ସେ ନିଜର ୧୦ ପରିବାର ଲୋକଙ୍କୁ ହରାଇଛି । ଏହା ବ୍ୟତୀତ ଭାରତ ପିଓକେର କୋଟଲୀ ଓ ମୁଜଫରାବାଦରେ ମଧ୍ୟ ଆତଙ୍କୀ ଶିବିର ଧ୍ୱଂସ କରିଥିଲା ।
ଶେଷ ଥର କେଉଁଠି ଦେଖିବାକୁ ମିଳିଥିଲା ମସୁଦ ଅଜହର
ପହଲଗାମ ହମଲା ପରେ ମସୁଜ ଅଜହର ବହାବଲପୁରରେ ଥିଲା । ହେଲେ ଅପରେସନ ସିନ୍ଦୂର ହେବା ମାତ୍ରେ ତାକୁ ବହାବଲପୁରରୁ ସୁରକ୍ଷିତ କାଢି ଗିଲଗିଟ ବାଲିଷ୍ଟାନରେ ଅଣା ଯାଇଥିଲା । ଏହା ତାର ପୁରୁଣା ଠିକଣାଠୁ ପ୍ରାୟ ୧୨୦୦ କିମି ଦୂର । ସେ ୨୦୨୫ ଜୁଲାଇରେ ସ୍କର୍ଦୁରେ ପ୍ରାୟ ୨୦ ଦିନ ରହିଥିଲା । ଏଠାରେ ତାକୁ ଭିନ୍ନ ଭିନ୍ନ ଦୁଇଟି ମସଜିଦରେ ରଖା ଯାଇଥିଲା । ଏହା ପରେ ଗୋଟିଏ ମଦରସା, ପୁଣି ସରକାରୀ ଗେଷ୍ଟ ହାଉସ ଓ ପରେ ଏକ ପ୍ରାଇଭେଟ୍ ଗେଷ୍ଟ ହାଉସରେ ରଖା ଯାଇଥିଲା ।
ହାଫିଜ ସଇଦକୁ ଶେଷ ଥର କେଉଁଠି ଦେଖିବାକୁ ମିଳିଥିଲା ?
ଅପରେସନ ସିନ୍ଦୂର ପୂର୍ବରୁ ହାଫିଜ ସଇଦକୁ ଲାହୋରର ଏକ ଜନବହୁଳ ଅଞ୍ଚଳ ଜୋହର ଟାଉନରେ ଦେଖିବାକୁ ମିଳିଥିଲା । ଏଠାରେ ତାର ଘର ସବଜେଲରେ ପରିଣତ ହୋଇଥିଲା । ଅପରେସନ ସିନ୍ଦୂରର କିଛି ଦିନ ପରେ ସେ ଇସଲାମାବାଦରେ ରହିଥିଲା । ପାକିସ୍ତାନ ଦାବି କରିଥିଲା ଯେ, ହାଫିଜ ସଇଦ ଟେରର ଫଣ୍ଡିଂ ମାମଲାରେ ୨୦୧୯ରୁ ୪୬ ବର୍ଷ ଜେଲ ଦଣ୍ଡ ଭୋଗୁଛି । ମାତ୍ର ମାତ୍ର ୨୦୨୫ ଫେବୃଆରୀରୁ ତାକୁ ୨୦ରୁ ଅଧିକ ଥର ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିଥିଲା ।
ମାସୁଦ ଅଜହର ଏବଂ ହାଫିଜ୍ ସଇଦ ଏବେ କେଉଁଠି?
ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଉଭୟ ଆତଙ୍କବାଦୀ ନେତାଙ୍କୁ ରାୱଲପିଣ୍ଡି, କରାଚୀ ଏବଂ ଲାହୋର ମଧ୍ୟରେ ଅନେକ ଥର ସ୍ଥାନାନ୍ତର କରାଯାଇଛି। ଆଇଏସଆଇ ସେମାନଙ୍କୁ ସୁରକ୍ଷିତ ଘର ମଧ୍ୟରେ ସ୍ଥାନାନ୍ତର କରିଚାଲିଛି। ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ, ଉଭୟ ଆଇଏସଆଇ ଏବଂ ପାକିସ୍ତାନ ସରକାରଙ୍କ ସୁରକ୍ଷାରେ ରହିଛନ୍ତି। ତଥାପି, ଭାରତର ଭୟ ଯୋଗୁଁ ସେମାନେ ଲୁଚି ରହିଛନ୍ତି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଭୟଙ୍କ ଉପରେ କଡ଼ା ନଜର ରଖିଛନ୍ତି।