୨୦୨୬ ଆଇପିଏଲରେ ଫିକା ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର ସାମ୍ନାକୁ ଆସିଛି । ଦଳରେ ଏଇଡେନ ମାର୍କରମ, ମିଚେଲ ମାର୍ସ ଓ ନିକୋଲାସ ପୁରନଙ୍କ ପରି ଷ୍ଟାର ବିଦେଶୀ ଖେଳାଳି ଥାଇ ମଧ୍ୟ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରୁଛି ଲକ୍ଷ୍ନୌ । ଚଳିତ ସିଜିନରେ ଲକ୍ଷ୍ନୌ କ୍ୟାମ୍ପରେ ଅନୁପସ୍ଥିତ ଥିବା ଜଣେ ବିଦେଶୀ ଷ୍ଟାର ବ୍ୟାଟର ଦଳ ସହ ଯୋଗଦେବାକୁ ଯାଉଛନ୍ତି । ସେହି ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଯଶ ଇଙ୍ଗଲିସ। ଲକ୍ଷ୍ନୌ ୨୦୨୬ ଆଇପିଏଲ ପୂର୍ବରୁ ହୋଇଥିବା ଅକ୍ସନରେ ତାଙ୍କୁ ୮.୬ କୋଟି ଟଙ୍କାରେ କିଣିଥିଲା । ମିଳିଥିବା ସୂଚନା ଅନୁଯାୟୀ ଇଙ୍ଗଲିସ ମେ ୪ ତାରିଖରେ ହେବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ସହିତ ଯୋଗଦେବେ ।
ତେବେ ଇଙ୍ଗଲିସ ତାଙ୍କ ବିବାହ ପ୍ରସ୍ତୁତି ପାଇଁ ଆଇପିଏଲ ୨୦୨୬ ର ପ୍ରାରମ୍ଭିକ ପର୍ଯ୍ୟାୟରୁ ତାଙ୍କ ନାମ ପ୍ରତ୍ୟାହାର କରିଥିଲେ । ତାଙ୍କ ବିବାହ ଏପ୍ରିଲ ୧୮ ରେ ଶେଷ ହୋଇଛି, ବର୍ତ୍ତମାନ ବିବାହ ପରେ କିଛି ଦିନ ପାଇଁ ସେ ପ୍ରଫେସନାଲ କ୍ରିକେଟରୁ ବିରତି ନେଇଛନ୍ତି । ମେ ୪ ତାରିଖ ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଆସି ଭାରତରେ ପହଞ୍ଚି ସାରିଥିବେ । ଆଇପିଏଲ ୨୦୨୬ ର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ଅନୁପସ୍ଥିତି ସତ୍ୱେ ଲକ୍ଷ୍ନୌ ତାଙ୍କୁ ୮.୬ କୋଟି ଟଙ୍କାରେ କିଣିଥିଲା । ଯଦି ସେ ମେ ୪ ପୂର୍ବରୁ ଟିମ ସହିତ ଯୋଗ ଦିଅନ୍ତି ତେବେ ସେ ଲିଗ ପର୍ଯ୍ୟାୟର ଆହୁରି ୬ ଟି ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ରହିବେ।