ଲକ୍ଷ୍ନୌ: ରାଜସ୍ଥାନ ରୟାଲ୍ସ ଆଗରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଆତ୍ମ ସମର୍ପଣ। ଲୋ ସ୍କୋରିଂ ମ୍ୟାଚରେ ୪୦ ରନରେ ଲକ୍ଷ୍ନୌକୁ ହରାଇଛି ରାଜସ୍ଥାନ। ପ୍ରଥମେ ବ୍ୟାଟିଂ କରି ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ୧୫୯ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୧୧୯ ରନରେ ଅଲଆଉଟ୍ ହୋଇଛି। ମିଚେଲ ମାର୍ଶ ଏକା ଲଢ଼ି ୫୫ ରନ କରିଥିଲେ, କିନ୍ତୁ ଦଳକୁ ଜିତାଇ ପାରି ନଥିଲେ।
ଏହା ରାଜସ୍ଥାନ ରୟାଲ୍ସର ସିଜନର ପଞ୍ଚମ ବିଜୟ। ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ବିଜୟ ଟ୍ରାକକୁ ଫେରିଛି ରାଜସ୍ଥାନ। ଋଷଭ ପନ୍ତ, ନିକୋଲାସ ପୁରନ୍ ଏବଂ ମୟଙ୍କ ଯାଦବଙ୍କ ଭଳି ଖେଳାଳି ଖରାପ ପ୍ରଦର୍ଶନ କରିଥିଲେ। ସାତଟି ମ୍ୟାଚ୍ରେ ଲକ୍ଷ୍ନୌର ଏହା ପଞ୍ଚମ ପରାଜୟ।
ଇକାନା ଷ୍ଟାଡିୟମରେ କ୍ରମାଗତ ଭାବରେ କମ୍ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି। ରବୀନ୍ଦ୍ର ଜାଡେଜାଙ୍କ ୪୩ ରନ ବଳରେ ରାଜସ୍ଥାନ ୧୫୯ ରନରେ ପହଞ୍ଚି ପାରିଛି। ଏହା ପରେ ବୋଲରଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରାଇଛି।
ଲକ୍ଷ୍ନୌର ଆରମ୍ଭ ଏତେ ଖରାପ ଥିଲା ଯେ ଦଳ ୧୧ ରନରେ ପହଞ୍ଚିବା ପୂର୍ବରୁ ତିନୋଟି ମୂଲ୍ୟବାନ ୱିକେଟ୍ ହରାଇଥିଲା। ଶୀର୍ଷ ଚାରି ବ୍ୟାଟରଙ୍କ ମଧ୍ୟରୁ ତିନି ଜଣ ଋଷଭ ପନ୍ତ, ଆଡନ ମାର୍କରାମ ଏବଂ ଆୟୁଷ ବାଡୋନି ଖାତା ଖୋଲିପାରି ନଥିଲେ। ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ନିକୋଲାସ୍ ପୁରନ୍ ୨୨ ରନ୍ କରିଥିଲେ। ଲକ୍ଷ୍ନୌ ପାଇଁ ଲଢ଼େଇ କରିବାରେ ଏକମାତ୍ର ମିଚେଲ୍ ମାର୍ଶ ଥିଲେ। ସେ ୪୧ ବଲରୁ ୫୫ ରନ୍ କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ଵରେ ୱିକେଟ୍ ପଡ଼ିବା ଜାରି ରହିଥିଲା।
ରାଜସ୍ଥାନର ଘାତକ ବୋଲିଂ
ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ୍ ପରାଗ ପାଞ୍ଚ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ, ଏବଂ ପ୍ରତ୍ୟେକ ବୋଲର ଅତି କମରେ ଗୋଟିଏ ୱିକେଟ୍ ନେଇଥିଲେ। ଜୋଫ୍ରା ଆର୍ଚର ସବୁଠାରୁ ସଫଳ ବୋଲର ଥିଲେ, ସେ ତିନି ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ନାଣ୍ଡ୍ରେ ବର୍ଗର ଏବଂ ବ୍ରିଜେଶ ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ଏବଂ ରବି ବିଷ୍ଣୋଇ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।