ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଏକା ପ୍ରଥମ ଶ୍ରେଣୀ ମ୍ୟାଚ ବିପଦପୂର୍ଣ୍ଣ ପିଚ୍ ପାଇଁ ରଦ୍ଦ କରାଯାଇଛି । ଏହି ମ୍ୟାଚ ୱେଷ୍ଟଇଣ୍ଡିଜର ସାର ଭିଭ୍ ରିଚାର୍ଡସ୍ ଷ୍ଟାଡିୟମରେ ଖେଳାଯାଉଥିଲା । ମ୍ୟାଚ ରଦ୍ଦ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜର ସିନିଅର ବୋଲର ଜେଡନ ସିଲ୍ସ ୭ ଟି ୱିକେଟ୍ ନେଇସାରିଥିଲେ । ପିଚ୍ ରେ ଅସମାନ ବାଉନ୍ସ ପାଇଁ ଜେଡନ ସିଲ୍ସଙ୍କ ଏକ ତୀକ୍ଷ୍ଣ ବାଉନ୍ସର ବଲ ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ବାଜିଥିଲା ଓ ସେ ତଳେ ପଡିଯାଇଥିଲେ, ଏହି ଘଟଣା ପରେ ମ୍ୟାଚକୁ ରଦ୍ଦ କରିଦିଆଯାଇଥିଲା । ଏହି ମ୍ୟାଚ ୱେଷ୍ଟଇଣ୍ଡିଜ ଚାମ୍ପିୟାନସିପର ଏକ ମ୍ୟାଚ ଥିଲା ଯାହାକି ଲିୱାର୍ଡ ଦ୍ୱୀପପୁଞ୍ଜ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଖେଳାଯାଉଥିଲା ।
ଜେଡନ ସିଲ୍ସ ଲିୱାର୍ଡ ଦ୍ୱୀପପୁଞ୍ଜର ଜେରେମିଆ ଲୁଇସଙ୍କୁ ଏକ ବାଉନ୍ସର ପକାଇଥିଲେ, ପିଚ୍ ରେ ଅସମାନ ବାଉନ୍ସ ପାଇଁ ବଲ ସିଧା ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ବାଜିଲା ଓ ବ୍ୟାଟ୍ସମ୍ୟାନ ତଳେ ପଡ଼ିଥିଲେ । ଏହା ପରେ ହେଲମେଟ କାଢ଼ିବା ସହ ଉଠି ହେଲମେଟକୁ ଗୋଇଠା ମାରିଥିଲେ ଓ ପଡ଼ିଆରୁ ବାହାରିକୁ ଚାଲିଯାଇଥିଲେ । ଏହି ସମୟରେ ଲିୱାର୍ଡ ଦ୍ୱୀପପୁଞ୍ଜର ସ୍କୋର ଥିଲା ୧୪୦/୭ ଓ ସମସ୍ତ ୭ ଟି ୱିକେଟ୍ ନେଇଥିଲେ ଜେଡନ ସିଲ୍ସ । ୪୮ ତମ ଓଭରର ଦ୍ଵିତୀୟ ବଲରେ ଏହି ଘଟଣା ଘଟିବା ପରେ ମ୍ୟାଚକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥିଲେ ମ୍ୟାଚ ଅଫିସିଆଲ ।
ଜେରେମିଆ ଲୁଇସଙ୍କ ହେଲମେଟରେ ବଲ ବାଜିଥିଲା, କିନ୍ତୁ ସୌଭାଗ୍ୟବଶତଃ କୌଣସି ଆଘାତ ଲାଗିନଥିଲା । ସେ ନିଜେ ପଡ଼ିଆରୁ ଚାଲିକି ବାହାରିଯାଇଥିଲେ ଓ ତୁରନ୍ତ ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ଘଟଣା ପରେ କ୍ରିକେଟ ୱେଷ୍ଟଇଣ୍ଡିଜ ଏକ ବିବୃତ୍ତିରେ କହିଛି ଯେ ବିପଦପୂର୍ଣ୍ଣ ପିଚ୍ ପାଇଁ ସାର ଭିଭ୍ ରିଚାର୍ଡସ୍ ଷ୍ଟାଡିୟମରେ ଥିବା ସମସ୍ତ ମ୍ୟାଚ ରଦ୍ଦ କରାଯାଇଛି । ଏହା ସହ ଲିୱାର୍ଡ ଦ୍ୱୀପପୁଞ୍ଜ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଥିବା ମ୍ୟାଚକୁ ରଦ୍ଦ କରାଯିବ ସହ ଡ୍ର ବୋଲି ଘୋଷଣା କରାଯାଇଛି ।