ସୋମବାର ଗୁଜରାଟ ବିପକ୍ଷ ମ୍ୟାଚ ପୂର୍ବରୁ ରନ କରିବାରେ ସଂଘର୍ଷ କରୁଥିବା ତିଲକ, ଶେଷରେ ନିଜ ଫର୍ମ ଫେରିପାଇଛନ୍ତି । ଆଇପିଏଲରେ ମୁମ୍ବାଇ ପାଇଁ ଦ୍ରୁତତମ ଶତକ ଲଗାଇବା ସହ ମୁମ୍ବାଇକୁ ଏକ ବଡ ବିଜୟର ଭେଟି ଦେଇଛନ୍ତି । ତିଲକ ୨୨୪.୪୪ ଷ୍ଟ୍ରାଇକ୍ ରେଟ୍ ରେ ମାତ୍ର ୪୫ ବଲରେ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ । କେବଳ ଏହି ସିଜିନ ନୁହେଁ ବରଂ ଏହା ତାଙ୍କ ଆଇପିଏଲ କ୍ୟାରିଅରର ପ୍ରଥମ ଶତକ ଥିଲା ।
ତିଲକ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ପ୍ରଥମ ୨୨ ବଲରେ ୧୯ ରନ ସଂଗ୍ରହ କରିଥିଲେ ଓ ପରବର୍ତ୍ତୀ ୨୩ ବଲରେ ସେ ୮୨ ରନ ସଂଗ୍ରହ କରିଥିଲେ । ଇନିଂସ ଆରମ୍ଭରୁ ୱିକେଟ୍ ର ପତନ ପରେ, ତିଲକ ଧର୍ଯ୍ୟର ସହ ଏକ ସନ୍ତୁଳିତ ଇନିଂସର ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ଚମତ୍କାର ଇନିଂସ ଫଳରେ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ ଟାଇଟନ୍ସକୁ ୯୯ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୯୯ ରନ ସଂଗ୍ରହ କରିଥିଲା। ଜବାବରେ, ଗୁଜରାଟ ମାତ୍ର ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ ହୋଇଯାଇଥିଲା।
ଏହି ମ୍ୟାଚ ପରେ ମୁମ୍ବାଇ ଆଇପିଏଲ ୨୦୨୬ ପଏଣ୍ଟ ଟେବୁଲରେ ଲମ୍ବା ଡିଆଁ ମାରିଛି । ପ୍ରଥମ ପାଞ୍ଚଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ, ପଞ୍ଜାବ ଶୀର୍ଷରେ ଥିବାବେଳେ ଆରସିବି ଦ୍ଵିତୀୟ ସ୍ଥାନରେ ରହିଛି । ରାଜସ୍ଥାନ ରୟାଲ୍ସ ତୃତୀୟ, ହାଇଦ୍ରାବାଦ ଚତୁର୍ଥ ଓ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି । ପରାଜୟ ସତ୍ୱେ ଗୁଜୁରାଟ ଷଷ୍ଠ ସ୍ଥାନରେ ରହିଛି, ଅନ୍ୟପଟେ ମୁମ୍ବାଇ ଦଶମ ସ୍ଥାନରୁ ସପ୍ତମ ସ୍ଥାନରେ ପହଞ୍ଚିଛି । ୯୯ ରନର ବିଜୟ ପରେ ମୁମ୍ବାଇର ନେଟ୍ ରନ ରେଟରେ ବୃଦ୍ଧି ଘଟିଛି । ଗୁଜୁରାଟ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇର ରନ ରେଟ -୧.୦୭୬ ଥିବାବେଳେ ବର୍ତ୍ତମାନ ଏହା +୦.୦୦୬୭ ରେ ପହଞ୍ଚିଛି ।