ଚଳିତ ସିଜିନର ନିଜ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ୫ ଥର ବିଜେତା ମୁମ୍ବାଇ ଇଂଡିଆନ୍ସକୁ ଲଗାତାର ୪ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଅନ୍ୟପଟେ ଗୁଜୁରାଟ ଚଳିତ ସିଜିନରେ ଠିକଠାକ ପ୍ରଦର୍ଶନ ସହିତ ୫ ଟି ମ୍ୟାଚରୁ ୩ ଟି ମ୍ୟାଚରେ ବିଜୟ ହାସଲ କରିଛି । ଆଇପିଏଲର ଦୁଇ ଚାମ୍ପିଅନ ଦଳ ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ।
ଚଳିତ ସିଜିନରେ ମୁମ୍ବାଇର ବ୍ୟାଟିଂ ୟୁନିଟ ଅପେକ୍ଷା ବୋଲିଂ ୟୁନିଟ ବେଶ ଦୁର୍ବଳ ନଜର ଆସୁଛନ୍ତି । ବୋଲିଂ ୟୁନିଟ ତାରକା ଖଚିତ ଥାଇ ମଧ୍ୟ ୱିକେଟ୍ ନେବାରେ ଅସଫଳ ହେଉଛନ୍ତି । ଚଳିତ ସିଜିନରେ ମୁମ୍ବାଇର ଦୀପକ ଚହର ଓ ଟ୍ରେଣ୍ଟ ବୋଲ୍ଟ ମାତ୍ର ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଟି ମ୍ୟାଚରେ ୨ ଟି ୱିକେଟ୍ ନେଇଛନ୍ତି । ଏହାଛଡା ମୁମ୍ବାଇର ବିଶ୍ୱାସଯୋଗ୍ୟ ତଥା ବେଷ୍ଟ ବୋଲର ଯଶପ୍ରୀତ ବୁମରା ବର୍ତ୍ତମାନ ସୁଦ୍ଧା କୌଣସି ୱିକେଟ୍ ନେଇନାହାନ୍ତି । ବୋଲରଙ୍କ ଖରାପ ପ୍ରଦର୍ଶନ ଫଳରେ ମୁମ୍ବାଇକୁ ଲଗାତାର ପରାଜୟର ସାମ୍ନା କରିବାକୁ ପଡୁଛି । ଅନ୍ୟପଟେ ମୁମ୍ବାଇର ବ୍ୟାଟିଂ ୟୁନିଟ ମଧ୍ୟ ସେଭଳି କିଛି ପ୍ରଭାବଶାଳୀ ପ୍ରଦର୍ଶନ କରିନାହିଁ । ଚଳିତ ସିଜିନରେ ମୁମ୍ବାଇ ପାଇଁ ସର୍ବାଧିକ ରୋହିତ ଶର୍ମା ୪ ଟି ମ୍ୟାଚରେ ୧୩୭ ରନ ଓ ରାୟନ ରିକଲଟନ ୫ ଟି ମ୍ୟାଚରେ ୧୩୭ ରନ ସଂଗ୍ରହ କରିଛନ୍ତି । ରୋହିତ ଆହତ ଥିବା କାରଣରୁ ଚଳିତ ସିଜିନର ପ୍ରଥମ ମ୍ୟାଚ ଖେଳୁଥିବା କ୍ୱିଣ୍ଟନ୍ ଡିକକ୍ ପ୍ରଥମ ମ୍ୟାଚରେ ହିଁ ଅପରାଜିତ ରହି ୬୦ ବଲରେ ୧୧୨ ରନ ସଂଗ୍ରହ କରିଥିଲେ ।
ଗୁଜୁରାଟ ଟାଇଟନ୍ସର ଉଭୟ ବ୍ୟାଟିଂ ଓ ବୋଲିଂ ୟୁନିଟ ମୁମ୍ବାଇ ତୁଳନାରେ ମଜବୁତ ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଲଗାତାର ୩ ଟି ମ୍ୟାଚରେ ବିଜୟୀ ହୋଇଛି ଗୁଜୁରାଟ । ଅଧିନାୟକ ଶୁଭମନ ଗିଲ ଓ ଯଶ ବଟଲର ଭଲ ଫର୍ମରେ ଅଛନ୍ତି । ଗିଲ ୪ ଟି ମ୍ୟାଚରେ ୩ ଟି ଅର୍ଦ୍ଧଶତକ ସହ ୨୫୧ ରନ ଓ ଯଶ ବଟଲର ୫ ଟି ମ୍ୟାଚରେ ୨ ଟି ଅର୍ଦ୍ଧଶତକ ସହ ୨୦୧ ରନ ସଂଗ୍ରହ କରିଛନ୍ତି । କେବଳ ବ୍ୟାଟିଂ ନୁହେଁ ବରଂ ଗୁଜୁରାଟର ବୋଲିଂ ୟୁନିଟ କୁ ମଧ୍ୟ ସଫଳତା ମିଳିଛି । ୨୦୨୫ ଆଇପିଏଲର ପର୍ପଲ କ୍ୟାପ ହୋଲ୍ଡ଼ର ପ୍ରସିଧ କ୍ରିଷ୍ଣା ୫ ଟି ମ୍ୟାଚରେ ୧୧ ଟି, କାଗିସୋ ରାବାଡା ୫ ଟି ମ୍ୟାଚରେ ୭ ଟି, ରାସିଦ ଖାନ ୫ ଟି ମ୍ୟାଚରେ ୬ ଟି, ଅଶୋକ ଶର୍ମା ୫ ଟି ମ୍ୟାଚରେ ୬ ଟି ଓ ମହମ୍ମଦ ଶିରାଜ ୫ ଟି ମ୍ୟାଚରେ ୫ ଟି ୱିକେଟ୍ ନେଇଛନ୍ତି ।
ଆଇପିଏଲରେ ଦୁଇ ଦଳ ପୂର୍ବରୁ ୮ ଥର ମୁହାଁମୁହିଁ ହୋଇଥିବାବେଳେ ଗୁଜୁରାଟ ୫ ଥର ବିଜୟୀ ହୋଇଛି । ଚଳିତ ସିଜିନରେ ଭଲ ଫର୍ମରେ ଥିବା ଗୁଜୁରାଟ ପାଖରେ ସୁଯୋଗ ରହିଛି ମୁମ୍ବାଇକୁ ନିଜ ଘରୋଇ ମୈଦାନରେ ପରାସ୍ତ କରି ବିଜୟ ଧାରା ଜାରିରଖିବା ପାଇଁ ।