ଅହମ୍ମଦାବାଦ: ଅଧିନାୟକ ଶୁଭମନ ଗିଲଙ୍କ ଅଧିନାୟକତ୍ୱ ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୬ର ୨୫ତମ ରୋମାଞ୍ଚକର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୫ ୱିକେଟରେ ହରାଇଛି । ଗୁଜରାଟ ନିଜର ପଞ୍ଚମ ମ୍ୟାଚରୁ ତୃତୀୟ ବିଜୟ ସହ ଅଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି । ଅନ୍ୟପଟେ କୋଲକାତା ଛଅଟି ମ୍ୟାଚରୁ ୫ ପରାଜୟ ଭୋଗି ଏବେ ବି ବିଜୟର ସ୍ୱାଦ ଚାଖି ପାରିନି । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା କ୍ୟାମେରୁନ ଗ୍ରୀନଙ୍କ ୭୯ ରନ ବଳରେ ୧୮୦ ରନ କରିଥିଲା । ଜବାବରେ ଗୁଜରାଟ ଶୁଭମନ ଗିଲଙ୍କ ୮୬ ରନ ବଳରେ ୧୯.୪ ଓଭରରେ ୫ ୱିକେଟ ମ୍ୟାଚ୍ ଜିତି ନେଇଛି ।
୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ୫୭ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ । ସାଇ ସୁଦର୍ଶନ ୨୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଜୋସ ବଟଲର ୨୫ ରନ କରିଥିଲେ । ଗୋଟିଏ ପଟେ ଶୁଭମନ ଗିଲ୍ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟେ ବ୍ୟାଟରମାନେ ଗିଲଙ୍କ ସହ ଛୋଟ ଛୋଟ ଭାଗିଦାରୀ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ । ୱାଶିଂଟନ ସୁନ୍ଦର ୧୩ ରନ ଓ ଗ୍ଲେନ ଫିଲିପ୍ସ ୧୯ ରନ କରି ଆଉଟ୍ ହୋଇଥିଲେ ।
ଶୁଭମନ ଗିଲ୍ ଅର୍ଦ୍ଧଶତକ ହାସଲ କରିବା ସହ ୫୦ ବଲରୁ ୮ ଚୌକା ଓ ୪ ଛକା ସହ ୮୬ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ସେ ଆଉଟ୍ ହୋଇଥିଲେ ହେଁ ବାକି କାମ ରାହୁଲ ତେଓତିଆ(୭ ରନ) ଓ ଶାହରୁଖ ଖାନ(୩ ରନ) ଅପରାଜିତ ରହି କରିଥିଲେ । ଆଉ ଗୁଜରାଟ ୧୯.୪ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।
କୋଲକାତା ଇନିଂସ
ଗତ ମ୍ୟାଚ୍ ପରି ଆଜି ମଧ୍ୟ କେକେଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଅଧିନାୟକ ଆଜିଙ୍କ୍ୟ ରାହାଣେ ଖାତା ବି ଖୋଲି ପାରି ନ ଥିଲେ । ଅଙ୍ଗକୃଷ ରଘୁବଂଶୀ ୮ ରନ ଓ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଟିମ୍ ସେଇଫର୍ଟ ୧୯ ରନ କରିଥି୍େଲ । ରୋଭମ୍ୟାନ ପାୱେଲ ୨୭ ରନ କରିଥିଲେ ମଧ୍ୟ ଇନିଂସ ଖେଳି ପାରି ନ ଥିଲେ । ଏହା ପରେ ଖରାପ ଫର୍ମ ଦେଇ ଗତି କରୁଥିବା କ୍ୟାମେରୁନ ଗ୍ରୀନ ଆଜି ଫର୍ମରେ ନଜର ଆସିଥିଲେ । ସେ ଗୋଟିଏ ପଟୁ ମୋର୍ଚ୍ଚା ସମ୍ଭାଳି ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଅନ୍ୟ ପଟୁ କେହି ସହାୟତା କରି ପାରି ନ ଥିଲେ ।
ଏକଦା ୧୪.୫ ଓଭରରେ ୪ ୱିକେଟ୍ ହରାଇ ୧୪୭ ରନ କରିଥିବା କୋଲକାତା ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଶେଷ ୩୧ ବଲରେ ଦଳ ମାତ୍ର ୩୩ ରନ କରି ବାକି ୬ ୱିକେଟ୍ ହରାଇଥିଲା । ଯେଉଁଠି ଦଳ ୨୦୦ରୁ ଉର୍ଦ୍ଧ୍ୱ ସ୍କୋର କରିବାର ଥିଲା, ସେଠି ଦଳ ୧୮୦ ରନ କରି ପାରିଛି । ଗ୍ରୀନ ୫୫ ବଲରୁ ୭ ଚୌକା ଓ ୪ ଛକା ସହ ୭୯ ରନ କରିଥିଲେ । ଗୁଜରାଟ ବୋଲର ଶେଷ ୫ ଓଭରରେ ଘାତକ ବୋଲିଂ କରି କେକେଆରକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି । ବୋଲିଂରେ ଗୁଜରାଟ ପକ୍ଷରୁ କାଗିସୋ ରାବଡା ୨୯ ରନ ଦେଇ ୩ଟି ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅଶୋକ ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।