ମୁୁମ୍ବାଇ: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଆଗରେ ଫିକା ପଡିଲା କ୍ୱିଣ୍ଟନ ଡିକକଙ୍କ ଶତକ । ମୁମ୍ବାଇର ୱାୂଙ୍ଖେଡେରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୨୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ସହଜରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଡିକକଙ୍କ ୧୧୨ ରନ ଓ ନମନ ଧୀରଙ୍କ ୫୦ ରନ ବଳରେ ୧୯୫ ରନ କରିଥିଲା । ଜବାବରେ ପଞ୍ଜାବ ପ୍ରଭସିମରନଙ୍କ ଅପରାଜିତ ୮୦ ରନ ଓ ଆୟରଙ୍କ ୬୬ ରନ ବଳରେ ୧୬.୩ ଓଭରରେ ୩ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଛି । ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟପଟେ ମୁମ୍ବାଇ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି ।
୧୯୬ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ପଞ୍ଜାବ ୪୫ ରନରେ ୨ଟି ୱିକେଟ ହରାଇଥିଲା । ପ୍ରିୟାଂଶ ଆର୍ଯ୍ୟ ୧୫ ରନ ଓ କୁପର କନୋଲି ୧୭ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟର ମୁମ୍ବାଇ ବୋଲରଙ୍କୁ ପ୍ରହାର କରିଥିଲେ । ଦୁଇ ବ୍ୟାଟର ୧୩୯ ରନର ଶତକୀୟ ଭାଗିଦାରୀ ମ୍ୟାଚକୁ ଏକତରଫା କରି ଦେଇଥିଲେ । ପ୍ରଭସିମରନ ଓ ଆୟର ନିଜ ନିଜର ଅର୍ଦ୍ଧଶତକ ବି ପୂରଣ କରିଥିଲେ । ଶ୍ରେୟସ ୬୬ ରନ କରି ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ପ୍ରଭସିମରନ ୩୯ ବଲରୁ ୧୧ ଚୌକା ଓ ୨ ଛକା ସହ ୮୦ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ମୁମ୍ବାଇ ପକ୍ଷରୁ ଗଜନଫରଙ୍କୁ ବାଦ୍ ଦେଲେ ବାକି ବୋଲରଙ୍କୁ ପ୍ରହାର ହୋଇଥିଲା ।
ଏହା ପୂର୍ବରୁ ମୁମ୍ବାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ ଓ ନମନ ଧୀରଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ବିଫଳ ରହିଥିଲେ । ଏହି ଦୁଇ ବ୍ୟାଟର ୧୨୨ ରନ ଯୋଡିବାରୁ ମୁମ୍ବାଇ ୧୯୫ ରନ କରି ପାରିଥିଲା । ନମନ ଧୀର ୫୦ ରନର ଉପଯୋଗୀ ଇନିଂସ ଖେଳିଥିଲେ । କ୍ୱିଣ୍ଟନ ଡିକକ ଆଇପିଏଲରେ ନିଜର ତୃତୀୟ ଶତକ ହାସଲ କରିଥିଲେ । ସେ ୬୦ ବଲରୁ ୮ ଚୌକା ଓ ୭ ଛକା ସହ ୧୧୨ ରନର ଅପରାଜିତ ଇନିଂସ ଖେଳିଥିଲେ । ହେଲେ ତାଙ୍କ ଶତକ ବୃଥା ହୋଇଛି ।