ଚେନ୍ନାଇ: ବ୍ୟାଟରଙ୍କ ଉପଯୋଗୀ ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୨୬ର ୨୨ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୩୨ ରନରେ ହରାଇଛି ଚେନ୍ନାଇ । ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱାଧୀନ ସିଏସକେ ଚଳିତ ସିଜିନରେ ନିଜର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ କୋଲକାତା ଚତୁର୍ଥ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୧୯୨ ରନ କରିଥିଲା । ଜବାବରେ କୋଲକାତା ୧୬୨ ରନରେ ଆଣ୍ଠେଇଥିଲା । ଚେନ୍ନାଇ ପକ୍ଷରୁ ନୂର ଅହମ୍ମଦ ୩ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
୧୯୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କେକେଆରର ଆରମ୍ଭ ଫିକା ରହିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାପର ସମ୍ମୁଖୀନ ହୋଇଥିଲା । ଚେନ୍ନାଇ ବୋଲର ମାପଚୁପ ବୋଲିଂ କରି କେକେଆର ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ । ଫିନ ଆଲେନଙ୍କଠୁ ନେଇ ରୋଭମ୍ୟାନ ପାୱେଲଙ୍କ ପର୍ଯ୍ୟନ୍ତ କୌଣସି ବ୍ୟାଟର ଦ୍ରୁତ ରନ ସଂଗ୍ରହ କରି ପାରି ନ ଥିଲେ । ଦଳ ପକ୍ଷରୁ ରମଣ ଦୀପ ସିଂ ୩୫ ରନ ଓ ରୋଭମ୍ୟାନ ୩୧ ରନ କରିଥିଲେ ହେଁ ତାହା ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା ।
୰ଉପର କ୍ରମରେ ସୁନିଲ ନାରିନ ୨୪ ରନ, ଅଧିନାୟକ ରାହାଣେ ୨୮ ରନ, ଅଙ୍ଗକୃଷ ରଘୁବଂଶୀ ୨୭ ରନ କରିଥିଲେ । ଫିନ ଆଲେନ ୧ ରନ ଓ କ୍ୟାମେରୁନ ଗ୍ରୀନ(୦) ସବୁଠୁ ଅଧିକ ନିରାଶ କରିଥିଲେ । ଫଳରେ କେକେଆର ୧୯୩ ରନର ବିଜୟ ଲକ୍ଷ୍ୟ ପିଛା କରି ନ ପାରି ୭ ୱିକେଟ୍ ହରାଇ ୧୬୦ ରନ କରି ପାରିଥିଲା ।
ବୋଲିଂରେ ଚେନ୍ନାଇ ପକ୍ଷରୁ ନୂର ଅହମ୍ମଦ ୪ ଓଭରରେ ମାତ୍ର ୨୧ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଅଂଶୁଲ କମ୍ବୋଜ ମଧ୍ୟ ପ୍ରଭାବଶାଳୀ ବୋଲିଂ କରି ୩୨ ରନ ଦେଇ ୨ଟି ସଫଳତା ପାଇଥିଲେ । ଖଲିଲ ଅହମ୍ମଦ ମାପଚୁପ ବୋଲିଂ କରି ୩.୫ ଓଭରରେ କେବଳ ୨୪ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୮ ରନ କରିଥିଲେ । ବ୍ରେଭିସ ୪୧ ରନ, ଆୟୁଷ ମହାତ୍ରେ ୧୭ ବଲରୁ ଦ୍ରୁତ ୩୮ ରନ କଥିଲେ । ଫଳରେ ଚେନ୍ନାଇ ୫ ୱିକେଟ୍ ହରାଇ ୧୯୨ ରନର ପ୍ରଭାବଶାଳୀ ସ୍କୋର କରି ପାରିଥିଲା ।