ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ବିସ୍ଫୋରକ ବ୍ୟାଟିଂ ୟୁନିଟ ସତ୍ୱେ ଦଳକୁ ୫ ଟି ମ୍ୟାଚରୁ ମାତ୍ର ୨ ଟି ମ୍ୟାଚରେ ବିଜୟର ସ୍ୱାଦ ଚାଖିବାକୁ ମିଳିଛି। ବୋଲିଂ ୟୁନିଟର ନିରାଶଜନକ ପ୍ରଦର୍ଶନ ପରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦୁଇ ଡେବ୍ୟୁଟାଣ୍ଟ ଚମତ୍କାର ବୋଲିଂର ପ୍ରଦର୍ଶନ କରିଥିଲେ । ପୂର୍ବ ମ୍ୟାଚରେ ବୋଲିଂରେ ଭଲ ପ୍ରଦର୍ଶନ କରି ମ୍ୟାଚ ଜିତିଥିବା ହାଇଦ୍ରାବାଦର ଫୁଲ ଟାଇମ କ୍ୟାପଟେନ ଫିଟ ହୋଇ ଦଳରେ ଯୋଗ ଦେବା ଖବର ଶୁଣିବାକୁ ମିଳୁଛି । ଅଷ୍ଟ୍ରେଲିଆର ଦକ୍ଷ ବୋଲର ତଥା ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଦଳକୁ ଫେରୁଛନ୍ତି ବୋଲି ସୂଚନା ମିଳିଛି ।
ପ୍ୟାଟ କମିନ୍ସ ବୁଧବାର ଅଷ୍ଟ୍ରେଲିଆରେ ଫିଟନେସ ପରୀକ୍ଷା ଦେବେ, ଯଦି ସେ ଏଥିରେ ପାସ ହୁଅନ୍ତି ତେବେ ସେ ତୁରନ୍ତ ହାଇଦ୍ରାବାଦ ଦଳରେ ଯୋଗଦେଇପାରିବେ । ତେବେ ମିଳିଥିବା ସୂଚନା ଅନୁଯାୟୀ, କମିନ୍ସ ଫିଟ ଅଛନ୍ତି ଓ ସେ ୧୭ ତାରିଖରେ ହାଇଦ୍ରାବାଦ ସହ ଯୋଗଦେବେ । ସନରାଇଜର୍ସ ହାଇଦ୍ରାବାଦ ନିଜର ପରବର୍ତ୍ତୀ ମ୍ୟାଚ ୧୮ ଏପ୍ରିଲ ଶନିବାର ଦିନ ଘରୋଇ ମୈଦାନରେ ଚେନ୍ନାଇ ବିପକ୍ଷରେ ଖେଳିବ ।