ଆଇପିଏଲ ୨୦୨୬ ର ୨୩ ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆଜି ସନ୍ଧ୍ୟାର ମ୍ୟାଚ ଏମ ଚିନ୍ନସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁରେ ଖେଳାଯିବ । ଗୋଟେ ପଟେ ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ ଆରସିବି ଚଳିତ ସିଜିନରେ ଭଲ ପ୍ରଦର୍ଶନ କରି ୪ ଟି ମ୍ୟାଚରେ ୩ ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟ ପଟେ ନିଜ ସମ୍ଭାବ୍ୟ ଏକାଦଶରେ ସନ୍ତୁଳନ ଖୋଜୁଥିବା ଲକ୍ଷ୍ନୌ ୪ ଟି ମ୍ୟାଚରେ ୨ ଟି ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।
ଦୁଇ ଦଳର ବ୍ୟାଟିଂ ୟୁନିଟରେ ନଜର ପକାଇଲେ, ଆରସିବିରେ ବ୍ୟାଟିଂ ବେଶ ମଜବୁତ ନଜର ଆସୁଛି । ଆରସିବିର ଟପ ଅର୍ଡର ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରୁଛି । ଚଳିତ ସିଜିନରେ ବିରାଟ କୋହଲି (୧୬୨), ଫିଲ୍ ସଲ୍ଟ (୧୭୮), ଦେବଦତ୍ତ ପଡିକ୍କଲ୍ (୨୦୧), ରଜତ ପାଟିଦାର (୨୧୪), ଟିମ୍ ଡେଭିଡ୍ (୨୨୧) ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରୁଛନ୍ତି । କେବଳ ଏହି ୫ ବ୍ୟାଟ୍ସମ୍ୟାନ ୪ ଟି ମ୍ୟାଚରେ ସମୁଦାୟ ୫୨ ଟି ଛକା ମାରିଛନ୍ତି । ଆରସିବିର ବ୍ୟାଟିଂ ୟୁନିଟ ଏତେ ମଜବୁତ ଯେ, ଚଳିତ ସିଜିନର ୪ ଟି ମ୍ୟାଚରେ ଆରସିବି ୨୦୦ ରୁ ଅଧିକ ରନ ସଂଗ୍ରହ କରିଛି । ଆରସିବିର ଘରୋଇ ମୈଦାନ ବ୍ୟାଟିଂ ପାଇଁ ଅନୁକୂଳ ହୋଇଥିବାରୁ ହାଇ-ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିପାରେ ।
ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ତାରକା ଖଚିତ ହୋଇଥିଲେ ମଧ୍ୟ ଚଳିତ ସିଜିନରେ କୌଣସି ପ୍ରଭାବଶାଳୀ ଇନିଂସ ଦେଖିବାକୁ ମିଳିନାହିଁ । ଦଳର ଅଧିନାୟକ ଋଷବ ପନ୍ତଙ୍କ ସମେତ ମିଚିଲ ମାର୍ସ, ଏଇଡେନ ମାର୍କରମ, ନିକୋଲାସ ପୂରନ ଓ ଅବଦୁଲ ସମଦଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ବ୍ୟାଟିଂ ୟୁନିଟ ଫେଲ ମାରିଛି । ଅନ୍ୟପଟେ ଏଲଏସଜିର ବୋଲିଂ ୟୁନିଟ ନେତୃତ୍ୱ ମହମ୍ମଦ ସାମୀ ନେଉଥିବାବେଳେ ଯୁବ ବୋଲର ପ୍ରିନ୍ସ ଯାଦବ ଓ ଦିଗବେଶ ରାଠି ନିଜ ବୋଲିଂରେ ପ୍ରଭାବିତ କରିଛନ୍ତି । ଅନ୍ୟ ଯୁବ ତାରକା ମୁକୁଲ ଚୌଧୁରୀ ଚଳିତ ସିଜିନରେ ଡେବ୍ୟୁ କରିଥିବାବେଳେ କୋଲକାତା ବିପକ୍ଷ ରନ ଚେଜରେ ନିଜ ବ୍ୟାଟିଂର ଯାଦୁ ଦେଖାଇଥିଲେ । ୨୭ ବଲରେ ୫୪ ରନର ଅପରାଜିତ ଇନିଂସ ବଳରେ ଲକ୍ଷ୍ନୌକୁ ସେହି ମ୍ୟାଚ ଜିତାଇବା ସହ ପ୍ଲେଆର ଅଫ ଦ ମ୍ୟାଚ ହୋଇଥିଲେ ।