ଡେବ୍ୟୁ ମ୍ୟାଚରେ ହାଇଦ୍ରାବାଦ ପାଇଁ ନାୟକ ସାଜିଥିବା ପ୍ରଫୁଲ ହିଙ୍ଗେ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ୪ ଓଭର ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଦିନେ ଯାହାଙ୍କୁ କେହି ଜାଣିନଥିଲେ, ଆଜି ତାଙ୍କରି ନାଁ ଖୋଜୁଛନ୍ତି ସମସ୍ତେ । ଏବେ ସୋସିଆଲ ମିଡିଆରେ ବିଦର୍ଭର ଏହି ଯୁବ ଖେଳାଳିଙ୍କ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ଆମେ ସମସ୍ତେ ଜାଣିଛେ ଇନଷ୍ଟାଗ୍ରାମ୍ ରେ ଫଲୋଅର ପାଇଁ ବର୍ତ୍ତମାନର ଯୁବ ପିଢ଼ି ପାଗଳ । ନିଜ ଫଲୋଅର ବଢାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରୟାସ କରୁଛି, କାରଣ ବର୍ତ୍ତମାନ ସମୟରେ ଲୋକପ୍ରିୟ ହେବା ପାଇଁ ସବୁଠାରୁ ଭଲ ମାଧ୍ୟମ ହେଉଛି ଇନଷ୍ଟାଗ୍ରାମ୍ । ଚଳିତ ସିଜିନରେ ଡେବ୍ୟୁ କରିଥିବା ହାଇଦ୍ରାବାଦର ପ୍ରଫୁଲ ହିଙ୍ଗେ ନିଜ ବୋଲିଂ ବଳରେ ଅନେକ କ୍ରିକେଟ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାଫଳରେ ତାଙ୍କ ଇନଷ୍ଟାଗ୍ରାମ୍ ରେ ଫଲୋଅର ସଂଖ୍ୟା ବଢ଼ିବାରେ ଲାଗିଛି ।
ଯେତେବେଳେ ହାଇଦ୍ରାବାଦ ବୋଲିଂ କରିବାକୁ ଆସିଲା ସେତେବେଳେ ପ୍ରଫୁଲଙ୍କୁ କେହି ଜାଣିନଥିଲେ । ପ୍ରଥମ ଓଭରରେ ସେ ବୈଭବଙ୍କ ୱିକେଟ୍ ନେବା ପରେ ପଛକୁ ବୁଲି ଚାହିଁ ନଥିଲେ, ଯୁରେଲ ଓ ପ୍ରିଟୋରୀୟସଙ୍କ ୱିକେଟ୍ ସହ ପ୍ରଥମ ଓଭରରେ ହିଁ ୩ ଟି ୱିକେଟ୍ ନେଇଥିଲେ । ଏହି ସମୟରେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମ୍ ରେ ମାତ୍ର ୧୧ ହଜାର ଫଲୋଅର ଥିଲେ । ଏହି ମ୍ୟାଚ ୨୪ ଘଣ୍ଟା ପୁରିବା ପୂର୍ବରୁ ତାଙ୍କ ଫଲୋଅର ୩ ଲକ୍ଷ ୫୦ ହଜାର ଟପି ସାରିଲେଣି । ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ ଆଇପିଏଲର ପ୍ରଥମ ମ୍ୟାଚର ୪ ଓଭରରେ ତାଙ୍କୁ ଫ୍ୟାନ୍ସଙ୍କ ସମର୍ଥନ ଓ ଭଲପାଇବା ମିଳିଛି । ଯାହାର ପ୍ରମାଣ ତାଙ୍କ ଇନଷ୍ଟାଗ୍ରାମ୍ ଫଲୋଅର ଓ କମେଣ୍ଟ ବକ୍ସରୁ ଜଣାପଡୁଛି ।