ଆଇପିଏଲ ୨୦୨୬ ର ୨୧ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବିଜୟ ଧାରାରେ ବ୍ରେକ ଲଗାଇଥିବା ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ପ୍ରଫୁଲ ହିଙ୍ଗେ ଏବେ ଚର୍ଚ୍ଚାରେ । ଆଇପିଏଲରେ ଡେବ୍ୟୁ କରୁଥିବା ପ୍ରଫୁଲ ହିଙ୍ଗେ ଦ୍ଵିତୀୟ ଇନିଂସର ପ୍ରଥମ ଓଭରରେ ହିଁ କିଛି ଏମିତି କାରନାମା କରିଛନ୍ତି ଯାହା ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ଲସିଥ ମାଲିଙ୍ଗା ମଧ୍ୟ କରିପାରିନଥିଲେ । ଡେବ୍ୟୁ ମ୍ୟାଚର ପ୍ରଥମ ଓଭରରେ ୩ ଟି ୱିକେଟ୍ ନେଇ ରାଜସ୍ଥାନର ବିସ୍ଫୋରକ ବ୍ୟାଟିଂ ୟୁନିଟକୁ ଦୋହଲାଇ ଦେଇଥିଲେ । ଦ୍ଵିତୀୟ ଇନିଂସର ପ୍ରଥମ ଓଭରରେ ଇନ-ଫର୍ମ ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଯୁରେଲ ଓ ପ୍ରିଟୋରିଅସଙ୍କ ୱିକେଟ୍ ନେଇ ରାଜସ୍ଥାନକୁ ବ୍ୟାକ୍ ଫୁଟରେ ପକାଇଦେଇଥିଲେ । ଏହାପରେ ରାଜସ୍ଥାନର ଅଧିନାୟକ ରିୟାନ ପରାଗଙ୍କ ୱିକେଟ୍ ସହ ଡେବ୍ୟୁ ମ୍ୟାଚରେ ୪ ଟି ୱିକେଟ୍ ନେଇ ପ୍ଲେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ ।
ଆଇପିଏଲ ୨୦୨୬ ଆରମ୍ଭରୁ ହାଇଦ୍ରାବାଦର ବୋଲିଂ ୟୁନିଟ ଦୁର୍ବଳ ନଜର ଆସୁଥିଲା । କିନ୍ତୁ ଗତ ସନ୍ଧ୍ୟାରେ ପ୍ରଫୁଲ ହିଙ୍ଗେଙ୍କ ଉପସ୍ଥିତି ଦଳକୁ ନୂଆ ଉର୍ଜା ପ୍ରଦାନ କଲା ଭଳି ନଜର ଆସିଥିଲା । ପ୍ରଫୁଲ ହିଙ୍ଗେ ଓ ସାକିବ ହୁସେନଙ୍କ ଚମତ୍କାର ବୋଲିଂ ବଳରେ ହାଇଦ୍ରାବାଦ ବିଜୟ ଧାରାକୁ ଫେରିଥିବା ନଜର ଆସିଥିଲା ।
ତେବେ ଆସନ୍ତୁ ଜାଣିବା ପ୍ରଫୁଲ ହିଙ୍ଗେ କିଏ?
ପ୍ରଫୁଲ ହିଙ୍ଗେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଛନ୍ତି । ୨୪ ବର୍ଷୀୟ ପ୍ରଫୁଲ ବିଦର୍ଭ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି। ଆଇପିଏଲ ୨୦୨୬ରେ ଡେବ୍ୟୁ କରିବା ପୂର୍ବରୁ ସେ ୧୦ଟି ପ୍ରଥମ ଶ୍ରେଣୀ, ୬ ଟି ଲିଷ୍ଟ-ଏ ଓ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି । ଘରୋଇ ଫର୍ମାଟରେ ସମୁଦାୟ ୧୭ ଟି ମ୍ୟାଚରେ କେବଳ ୩୩ ଟି ୱିକେଟ୍ ନେଇଛନ୍ତି । କମ ଅଭିଜ୍ଞତା ସତ୍ୱେ ମଧ୍ୟ ଚଳିତ ସିଜିନ ପୂର୍ବରୁ ହୋଇଥିବା ଆଇପିଏଲ ମିନି ଅକ୍ସନରେ ହାଇଦ୍ରାବାଦ ତାଙ୍କୁ ମାତ୍ର ୩୦ ଲକ୍ଷ ଟଙ୍କାରେ କିଣିଥିଲା।