ହାଇଦ୍ରାବାଦ: ରାଜସ୍ଥାନ ରୟାଲ୍ସର ବିଜୟ ଅଭିଯାନରେ ଲାଗିଲା ବ୍ରେକ । ଇଶାନ କିଶନଙ୍କ ଅଧିନାୟକତ୍ୱ ଇନିଂସ ପରେ ପ୍ରଫୁଲ ହିଙ୍ଗେ ଓ ସାକିବ ହୁସେନଙ୍କ ଘାତକ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୫୭ ରନର ବଡ ବ୍ୟବଧାନରେ ହରାଇଛି । ରାଜସ୍ଥାନ କ୍ରମାଗତ ଚାରୋଟି ମ୍ୟାଚ୍ ଜିତିବା ପରେ ଚଳିତ ସିଜିନରେ ପ୍ରଥମ ପରାଜୟ ଭୋଗିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ଇଶାନ କିଶନଙ୍କ ୯୧ ରନ ବଳରେ ୨୧୬ ରନ କରିଥିଲା । ଜବାବରେ ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫୯ ରନ କରିଥିଲା । ଡୋନୋଭନା ଫେରେରା ୬୯ ରନ ଓ ରବୀନ୍ଦ୍ର ଜାଡେଜା ୪୫ ରନ କରି ଦଳକୁ ଅତି ଶୋଚନୀୟ ପରାଜୟରୁ ବଞ୍ଚାଇଛନ୍ତି । ନଚେତ୍ ଦଳ ୫୦ ରନ ଭିତରେ ଅଲଆଉଟ୍ ହେବାର ସମ୍ଭାବନା ଥିଲା ।
ସନରାଇଜର୍ସ ହାଇଦ୍ରାବାଦ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିବା ବେଳେ ଟ୍ରେଭିସ ହେଡ ୧୮ ରନ କରି ଆଉଟ୍ ହୋଇଥିଲେ । ତଥାପି ଅଧିନାୟକ ଇଶାନ କିଶନ ଦମ ଦେଖାଇ ୪୪ ବଲରୁ ୯୧ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ହେନରିକ କ୍ଲାସେନ ୪୦ ରନ କରିଥିଲେ । ନୀତିଶ କୁମାର ରେଡ୍ଡୀ ଓ ସଲିଲ ଆରୋରା ଛୋଟ ମାତ୍ର ମହତ୍ୱପୂର୍ଣ୍ଣ ଇନିଂସ ଖେଳି ହାଇଦ୍ରାବାଦର ସ୍କୋରକୁ ୨୧୬ ରନରେ ପହଞ୍ଚାଇଥିଲେ ।
ବ୍ୟାଟିଂ ବିପର୍ଯ୍ୟୟ ଘଟାଇଲେ ପ୍ରଫୁଲ ଓ ସାକିବ
ସନରାଇଜର୍ସ ହାଇଦ୍ରାବାଦ ଏହି ମ୍ୟାଚରେ ପ୍ରଫୁଲ ହିଙ୍ଗେ ଓ ସାକିବ ହୁସେନଙ୍କୁ ପଦାର୍ପଣ କରିବାର ସୁଯୋଗ ଦେଇଥିଲା । ପ୍ରଫୁଲ ଇନିଂସର ପ୍ରଥମ ଓଭରରେ ହିଁ ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ ଓ ଲୁଆନ ଡ୍ରି ପ୍ରିଟୋରିୟସଙ୍କୁ ଆଉଟ୍ କରିଥିଲେ । ଏହି ତିନି ବ୍ୟାଟର ଖାତା ବି ଖୋଲି ପାରି ନ ଥିଲେ ।ପୁଣି ଦ୍ୱିତୀୟ ଓଭରରେ ସାକିବ ହୁସେନ ମଧ୍ୟ ନିଜର ଆଇପିଏଲ କ୍ୟାରିୟରର ପ୍ରଥମ ଓଭରରେ ଯଶସ୍ୱୀ ଜୟସ୍ୱାଲଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ରାଜସ୍ଥାନ ୨ ରନରେ ହିଁ ନିଜର ୪ ପ୍ରମୁଖ ବ୍ୟାଟରଙ୍କୁ ହରାଇଥିଲା ।
ପୁଣି ପ୍ରଫୁଲ ହିଙ୍ଗେ ନିଜର ଦ୍ୱିତୀୟ ଓଭରରେ ଅଧିନାୟକ ରିୟାନ ପରାଗଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ପରାଗ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ୯ ରନ ସ୍କୋରରେ ରାଜସ୍ଥାନର ନିଜର ଅଧା ବ୍ୟାଟରଙ୍କୁ ହରାଇ ସାରିଥିଲା । ଏହା ପରେ ରବୀନ୍ଦ୍ର ଜାଡେଜା ଓ ଡୋନୋଭାନ ଫରେରା ୧୧୮ ରନ ଭାଗିଦାରୀ କରି ରାଜସ୍ଥାନକୁ ବହୁତ ବଡ ବ୍ୟବଧାନରେ ହାରିବାରୁ ବଞ୍ଚାଇଥିଲେ । ଜାଡେଜା ୪୫ ରନ ଓ ଫରେରା ୬୯ ରନ କରିଥିଲେ ।
ରାଜସ୍ଥାନର ଟପ୍ ଅର୍ଡରକୁ ପ୍ରଫୁଲ ହିଞ୍ଜ ଧ୍ବଂସ କରିଥିଲେ ଏବଂ ତଳ ଅର୍ଡରକୁ ସାକିବ ହୁସେନ ଧ୍ୱଂସ କରିଥିଲେ। ପ୍ରଫୁଲ ଏବଂ ସାକିବ ପ୍ରତ୍ୟେକେ ମ୍ୟାଚ୍ରେ ଚାରି ଚାରିଟି ୱିକେଟ୍ ନେଇଥିଲେ। ଇଶାନ ମାଲିଙ୍ଗା ବାକି ଦୁଇଟି ୱିକେଟ୍ ନେଇଥିଲେ।