ଆଇପିଏଲ ତଥା ୧୯ ବର୍ଷରୁ କମ୍ ବିଶ୍ୱକପରେ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ନିଜ ପରିଚୟ ସୃଷ୍ଟି କରିଥିବା ୧୫ ବର୍ଷୀୟ ବୈଭବଙ୍କୁ ଜୁନ ମାସରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇପାରେ । ଯଦି ବୈଭବ ଭାରତ ପାଇଁ ଡେବ୍ୟୁ କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଡେବ୍ୟୁ କରିଥିବା ସର୍ବକନିଷ୍ଠ ଖେଳାଳି ହେବେ । ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୧୬ ବର୍ଷ ୨୦୫ ଦିନ ବୟସରେ ଟେଷ୍ଟ ଡେବ୍ୟୁ କରିଥିଲେ। ତେଣୁ ବୈଭବ ଡେବ୍ୟୁ କଲେ ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ମଧ୍ୟ ଭାଙ୍ଗିପାରେ ।
ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଚୟନକର୍ତ୍ତା ବୈଭବଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ଚୟନ କରିପାରନ୍ତି । ୨୬ ଜୁନ ଓ ୨୮ ଜୁନ ୨୦୨୬ ରେ ଭାରତ, ଆୟର୍ଲାଣ୍ଡ ବିପକ୍ଷରେ ଆୟର୍ଲାଣ୍ଡରେ ଦୁଇଟି ଟି-୨୦ ଖେଳିବ । ଏହି ସିରିଜରେ ବୈଭବଙ୍କ ବ୍ୟତୀତ କିଛି ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ବୈଭବଙ୍କ କେବଳ ଆଇପିଏଲ କିମ୍ବା ଟି-୨୦ ଫର୍ମାଟରେ ଦ୍ରୁତ ଗତିରେ ବ୍ୟାଟିଂ କରୁଛନ୍ତି ତାହା ନୁହେଁ ବରଂ ସେ ଦିନିକିଆ କ୍ରିକେଟରେ ମଧ୍ୟ ଟି-୨୦ ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି । ୨୦୨୬ ଆଇସିସି ଅଣ୍ଡର-୧୯ ଦିନିକିଆ ବିଶ୍ୱକପରେ ବୈଭବ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୮୦ ବଲରେ ୧୭୫ ରନ ସଂଗ୍ରହ କରିଥିଲେ ବୈଭବ । ଫାଇନାଲ ତଥା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଏହି ଭଳି ବ୍ୟାଟିଂ କରିବା ସହ ଫାଇନାଲରେ ପ୍ଲେଆର ଅଫ ଦ ମ୍ୟାଚ ହେବା ସହ ପ୍ଲେଆର ଅଫ ଦ ସିରିଜ ମଧ୍ୟ ହୋଇଥିଲେ ।
ଟି-୨୦ କ୍ରିକେଟ ହେଉ କି ଦିନିକିଆ କ୍ରିକେଟ ସବୁ ଫର୍ମାଟରେ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ରଣନୀତିରେ ବୈଭବ ସଫଳ ହେଉଥିବାରୁ ତାଙ୍କୁ ଖୁବ ଶୀଘ୍ର ଭାରତୀୟ ଦଳରେ ସୁଯୋଗ ମିଳିବାକୁ ନେଇ ଫ୍ୟାନ୍ସ ଚର୍ଚ୍ଚା କରୁଛନ୍ତି । ଅନ୍ୟପରେ ବିସିସିଆଇ ଚୟନକର୍ତ୍ତା ବୈଭବଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ରେ ସୁଯୋଗ ଦେବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।