ଭୁବନେଶ୍ୱର: ରାଜ୍ୟରେ ଭତ୍ତା ବଣ୍ଟନକୁ ନେଇ ଦେଖାଦେଇଥିବା ସମସ୍ୟା ଖୁବଶୀଘ୍ର ସମାଧାନ ହେବ। ଆଉ ମାତ୍ର ୧୫ ଦିନ ମଧ୍ୟରେ ଏହି ସମସ୍ୟା ଦୂର ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ଓ ସାଂସଦ ମନମୋହନ ସାମଲ। ଭତ୍ତା ପାଇବାକୁ ଅପେକ୍ଷା କରିଥିବା ହଜାର ହଜାର ହିତାଧିକାରୀଙ୍କ ପାଇଁ ଏହି ଘୋଷଣା ଆଶ୍ୱସ୍ତି ଆଣିଛି।
ମନମୋହନ ସାମଲ କହିଛନ୍ତି ଯେ, ଗତ ଦୁଇ ମାସ ଧରି ଭତ୍ତା ପ୍ରଦାନରେ ଦେଖାଦେଇଥିବା ବ୍ୟତିକ୍ରମର ମୂଳ କାରଣ ହେଉଛି ନୂଆ ସଫ୍ଟଓୟାର ବ୍ୟବସ୍ଥା। ନୂତନ ଅନଲାଇନ୍ ପ୍ରଣାଳୀ କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ କିଛି ଯାନ୍ତ୍ରିକ ସମସ୍ୟା ସୃଷ୍ଟି ହୋଇଥିବାରୁ ଅନେକ ଲୋକଙ୍କ ଖାତାକୁ ଭତ୍ତା ପହଞ୍ଚିପାରିନାହିଁ।
ସେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ନଗଦ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କ କୌଣସି ଅସୁବିଧା ହୋଇନଥିଲା। କିନ୍ତୁ ଯେଉଁ ହିତାଧିକାରୀଙ୍କ ଭତ୍ତା ଅନଲାଇନ୍ ମାଧ୍ୟମରେ ବ୍ୟାଙ୍କ ଖାତାକୁ ଯାଉଛି, ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ମନମୋହନ ସାମଲଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୂଆ ସଫ୍ଟଓୟାର ବିକାଶ କାମ ଆରମ୍ଭ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ କାମ କରୁଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁ ହିତାଧିକାରୀମାନେ ଗତ ଦୁଇ ମାସର ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଏକକାଳୀନ ଭାବେ ସମସ୍ତ ବକେୟା ଟଙ୍କା ପ୍ରଦାନ କରାଯିବ। ତେଣୁ ଲୋକମାନେ ଚିନ୍ତିତ ନହୋଇ ଆଉ କିଛିଦିନ ଅପେକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି। ସରକାର ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇଥିବା ବେଳେ, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା ବଣ୍ଟନ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।