ସୁନ୍ଦରଗଡ଼ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଲହୁଣୀପଡ଼ା ଥାନା ଅଞ୍ଚଳର ବଡ଼ପୁରୁଣାପାଣି ଗାଁରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତ ମେ’ ୨୮ ତାରିଖ ବିଳମ୍ବିତ ରାତିରେ ଦୁଇ ନାବାଳିକା ଘର ବାହାରକୁ ଯାଇଥିଲେ। ସେହି ସମୟରେ ଗାଁର ଅଜୟ ମୁଣ୍ଡାରୀ (୨୫) ଓ ତନ୍ମୟ ମୁଣ୍ଡା (୨୭) ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ। ଏହା ପରେ ଜଣେ ନାବାଳିକା କୌଶଳକ୍ରମେ ସେଠାରୁ ଖସି ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜୋରଜବରଦସ୍ତି ନିକଟସ୍ଥ ଏକ ବନ୍ଦ ସ୍କୁଲକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପରଦିନ ପୀଡ଼ିତାଙ୍କ ଭଉଣୀ ଓ ଭିଣୋଇ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। ଏହାପରେ ପରିବାର ଲୋକେ ଲହୁଣୀପଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୋଲିସ ପ୍ରଥମେ ଅଜୟ ମୁଣ୍ଡାରୀଙ୍କୁ ଅଟକ ରଖିଥିଲା। ପରେ ତନ୍ମୟ ମୁଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ସୁନ୍ଦରଗଡ଼ ପୋକ୍ସୋ ଅଦାଲତରେ ହାଜର କରାଯାଇଛି।
ପୋଲିସ କହିଛି, ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।