ଜଗତସିଂହପୁର DRDA କାର୍ଯ୍ୟାଳୟର ମହିଳା ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ଜଡିତ ଥିବା ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ପୋଲିସ ଗିରଫ କରିଥିବା ବେଳେ, ତଦନ୍ତରେ ଚମକାଇଦେବା ତଥ୍ୟ ସାମ୍ନାକୁ ଆସିଛି।
ପୋଲିସ ସୂଚନା ଅନୁସାରେ, ସଞ୍ଜୟ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଏକତରଫା ଭାବେ ପସନ୍ଦ କରୁଥିଲେ। କିନ୍ତୁ ତାଙ୍କ ଇଚ୍ଛା ସଫଳ ନହେବା ପରେ ସେ ଭୁଲ ରାସ୍ତା ବାଛିଥିଲେ। ମହିଳାଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ସେ ଗୋପନରେ ମହିଳା ୱାସ୍ରୁମ୍ରେ ହିଡେନ୍ କ୍ୟାମେରା ଲଗାଇଥିବା ଜଣାପଡ଼ିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତ ଯୁଟ୍ୟୁବ୍ ଦେଖି ଏହି କ୍ୟାମେରା ବ୍ୟବହାର କରିବା ଶିଖିଥିଲେ। ପରେ ଅନଲାଇନ୍ରୁ ହିଡେନ୍ କ୍ୟାମେରା କିଣି ମାର୍ଚ୍ଚ ମାସରୁ ୱାସ୍ରୁମ୍ରେ ଲଗେଇଥିଲା। ସନ୍ଦେହ ଏଡ଼ାଇବା ପାଇଁ ସେ ପ୍ରତି ସପ୍ତାହରେ ଥରେ କ୍ୟାମେରାକୁ କାଢ଼ି ଚାର୍ଜ କରୁଥିଲେ ଏବଂ ପୁଣି ସେହି ସ୍ଥାନରେ ଲଗାଇ ଦେଉଥିଲେ।
ଘଟଣା ଜଣାପଡ଼ିବା ପରେ DRDA କାର୍ଯ୍ୟାଳୟରେ ହଇଚଇ ସୃଷ୍ଟି ହୋଇଥିଲା। ମହିଳା କର୍ମଚାରୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଥିଲା। ପରେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ସଞ୍ଜୟଙ୍କୁ ଗିରଫ କରିଥିଲା।
ଏସ୍ପି ପ୍ରେସମିଟ୍ରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ବେଳେ, ପୋଲିସ ବର୍ତ୍ତମାନ ଜବତ କ୍ୟାମେରା ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣର ଯାଞ୍ଚ କରୁଛି। ଏହି ଘଟଣା କାର୍ଯ୍ୟାଳୟ ଭିତରେ ସୁରକ୍ଷା ଓ ଗୋପନୀୟତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି।