ଅହମ୍ମଦାବାଦ: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଉପରେ ରହିଛି, ଯେଉଁଠି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ମଧ୍ୟରେ ଆଇପିଏଲ୍ ୨୦୨୬ର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭:୩୦ରେ ଏହି ମହାନ ଲଢ଼େଇ ଆରମ୍ଭ ହେବାକୁ ଥିବା ବେଳେ, ପ୍ରଶଂସକଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଜି ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ମ୍ୟାଚର ମଜା ଖରାପ କରିପାରେ।
ଭେନ୍ୟୁ ବଦଳିବା ପରେ ଗୁଜରାଟ ପାଇଁ ଫାଇଦା !
ସୂଚନାଯୋଗ୍ୟ ଯେ, ପ୍ରଥମେ ଏହି ଫାଇନାଲ ମ୍ୟାଚ୍ ଆରସିବିର ହୋମ୍ ଗ୍ରାଉଣ୍ଡ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାର ଥିଲା। କିନ୍ତୁ ଭିଆଇପି ପାସ୍ ଚାହିଦାକୁ ନେଇ ସେଠାରେ ଦେଖାଦେଇଥିବା ବିବାଦ ଯୋଗୁଁ ବିସିସିଆଇ (BCCI) ଶେଷ ମହୂର୍ତ୍ତରେ ଭେନ୍ୟୁ ବଦଳାଇ ଏହାକୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରିଥିଲା। ଏହି ପଡ଼ିଆ ଗୁଜରାଟ ଟାଇଟନ୍ସର ହୋମ୍ ଗ୍ରାଉଣ୍ଡ ଅଟେ। ଚଳିତ ସିଜନରେ ଏଠାରେ ଖେଳାଯାଇଥିବା ପ୍ରଥମ ୩ଟି ମ୍ୟାଚରେ ଗୁଜରାଟ ପରାଜିତ ହୋଇଥିବା ବେଳେ, ପରବର୍ତ୍ତୀ ୪ଟି ଯାକ ମ୍ୟାଚରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି। ଏହି ପିଚ୍ରେ ବ୍ୟାଟିଂ ସେତେଟା ସହଜ ହୋଇନଥିବା ବେଳେ, ୧୪ଟି ପାଳି ମଧ୍ୟରୁ ମାତ୍ର ୩ ଥର ୨୦୦ରୁ ଅଧିକ ସ୍କୋର ହୋଇପାରିଛି।
କେମିତି ରହିବ ଅହମ୍ମଦାବାଦର ପାଣିପାଗ ?
ଅହମ୍ମଦାବାଦରେ ଆଜି ପାଣିପାଗ ବିଭାଗ ପକ୍ଷରୁ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ଶନିବାର ଏଠାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ଆଜି (ରବିବାର) ଏବଂ ଆସନ୍ତାକାଲି (ସୋମବାର) ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି। ସନ୍ଧ୍ୟା ୭:୦୦ ଟାରେ ଯେତେବେଳେ ରଜତ ପାଟିଦାର ଓ ଶୁଭମନ ଗିଲ୍ ଟସ୍ ପାଇଁ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ବର୍ଷା ହେବାର ସମ୍ଭାବନା ପ୍ରାୟ ୨୫ ପ୍ରତିଶତ ରହିଛି। ଏଭଳି ସ୍ଥିତିରେ ମ୍ୟାଚ୍ ସମୟ ସେଡ୍ୟୁଲରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
କ’ଣ ଅଛି ରିଜର୍ଭ ଡେ’ ଏବଂ ଟ୍ରଫି ବିଜେତାଙ୍କ ନିୟମ?
ଯଦି ବର୍ଷା ଯୋଗୁଁ ଆଜି ମ୍ୟାଚ୍ ସମ୍ଭବ ନହୁଏ, ତେବେ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ। ବିସିସିଆଇ ଏଥିପାଇଁ ନିୟମ ପ୍ରସ୍ତୁତ କରିଛି:
୧. ରିଜର୍ଭ ଡେ’ (Reserve Day): ମ୍ୟାଚ୍ ପାଇଁ ଜୁନ୍ ୧ (ସୋମବାର) କୁ ରିଜର୍ଭ ଡେ’ ଭାବେ ରଖାଯାଇଛି। ଆଜି ମ୍ୟାଚ୍ ବାତିଲ ହେଲେ ଆସନ୍ତାକାଲି ଖେଳାଯିବ। ତେବେ ସୋମବାର ମଧ୍ୟ ଅହମ୍ମଦାବାଦରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।
୨. ଅତିକମରେ ୫ ଓଭର ମ୍ୟାଚ୍: ମ୍ୟାଚର ଫଳାଫଳ ପାଇଁ ଉଭୟ ଦଳକୁ ଅତିକମରେ ୫-୫ ଓଭର ଖେଳିବା ଜରୁରୀ।
୩. ଯଦି ପୂରା ମ୍ୟାଚ୍ ରଦ୍ଦ ହୁଏ, କିଏ ହେବ ବିଜେତା?
ଯଦି ପ୍ରବଳ ବର୍ଷା ଯୋଗୁଁ ରବିବାର ଏବଂ ସୋମବାର ଦୁଇ ଦିନ ଯାକ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ରଦ୍ଦ ହୋଇଯାଏ, ତେବେ ଆଇପିଏଲ୍ ନିୟମ ଅନୁଯାୟୀ ଲିଗ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳକୁ ଚାମ୍ପିଅନ ଘୋଷଣା କରାଯିବ। ଏହି ଆଧାରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚଳିତ ସିଜନର ବିଜେତା କପ୍ ହାତେଇବ।