ଅହମ୍ମଦାବାଦ: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୬ର ସେହି ମହାନ ମୁକାବିଲା, ଯେଉଁଠି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ମଧ୍ୟରେ ହେବ ଜୋରଦାର ଟକ୍କର। ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିବ।
କୈଳାଶ ଖେରଙ୍କ ସ୍ୱରରେ ଦୁଲୁକିବ ଷ୍ଟାଡିୟମ, ଆକାଶରେ ଦେଖାଯିବ ‘ତ୍ରିଶୂଳ’
ଖିତାବୀ ଭିଡ଼ନ୍ତ ପୂର୍ବରୁ ଅଫିସିଆଲ୍ କ୍ଲୋଜିଂ ସେରିମନିରେ ଜଣାଶୁଣା ସୁଫି ଗାୟକ କୈଳାଶ ଖେର ନିଜ କଣ୍ଠର ଯାଦୁ ବିଛେଇବେ। ଟସ୍ ପୂର୍ବରୁ ସେ ନିଜର ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କ ମନ ଜିଣିବା ସହ ପୂରା ପରିବେଶକୁ ଜୋସରେ ଭରିଦେବେ।
ଏହା ସହିତ ଚଳିତ ବର୍ଷ ଫାଇନାଲର ସବୁଠୁ ବଡ଼ ଆକର୍ଷଣ ସାଜିବ ଏକ ସ୍ପେଶାଲ୍ ଡ୍ରୋନ୍ ଶୋ’। ମ୍ୟାଚ୍ ଚାଲିଥିବା ସମୟରେ ଷ୍ଟାଡିୟମ ଉପରେ ଶତାଧିକ ଡ୍ରୋନ୍ ସାହାଯ୍ୟରେ ଆକାଶରେ ଏକ ଚିତ୍ତାକର୍ଷକ ‘ତ୍ରିଶୂଳ’ର ଆକୃତି ପ୍ରଦର୍ଶନ କରାଯିବ, ଯାହା ଦେଖିବାକୁ ବେଶ୍ ମନୋରମ ହେବ।
ଇତିହାସ ରଚିବ କି ଆରସିବି ?
ବର୍ତ୍ତମାନ ସୁଦ୍ଧା ଉଭୟ ଗୁଜରାଟ ଏବଂ ବେଙ୍ଗାଲୁରୁ ୧-୧ ଥର ଆଇପିଏଲ୍ ଟ୍ରଫି ଜିତି ସାରିଛନ୍ତି। ତେଣୁ ଆଜି ଯିଏ ବି ଜିତିବ, ସେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହେବାର ଗୌରବ ହାସଲ କରିବ।
ଗତ ସିଜନରେ ହିଁ ଆରସିବି ନିଜର ପ୍ରଥମ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଥିଲା। ଏଥର ଲଗାତାର ଦ୍ୱିତୀୟ ଟ୍ରଫି ଉପରେ ଦଳର ନଜର ରହିଛି। ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ଚଳିତ ସିଜନର ପଏଣ୍ଟ ଟେବୁଲରେ ଶୀର୍ଷରେ ଥିଲା ଏବଂ ପ୍ରଥମ କ୍ୱାଲିଫାୟରରେ ଗୁଜରାଟକୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା।
ତେବେ ଆଜିର ମ୍ୟାଚ୍ ଗୁଜରାଟର ହୋମ୍ ଗ୍ରାଉଣ୍ଡ ଅର୍ଥାତ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେଉଥିବାରୁ ଜିଟି ପାଖରେ ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନ ରହିବ, ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିବ।