ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଘଟଣାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ଥିବାବେଳେ, ଏବେ ଜାତୀୟ ମାନବାଧିକାର ଆୟୋଗ (NHRC) ମଧ୍ୟ ମାମଲାରେ ହସ୍ତକ୍ଷେପ କରିଛି। ଖୁବ୍ଶୀଘ୍ର ଏନଏଚଆରସିର ଦୁଇଜଣିଆ ଟିମ୍ ୫ ଦିନିଆ ଭୁବନେଶ୍ୱର ଗସ୍ତରେ ଆସି ଘଟଣାସ୍ଥଳ ବାଲିଅନ୍ତାରେ ତନାଘନା କରିବେ।
ମେ’ ୭ ତାରିଖରେ ଘଟିଥିବା ଏହି ବର୍ବର ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା। ସୂଚନା ଅନୁସାରେ, ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗଙ୍କ ସହ ବାଇକରେ ଯାଉଥିବାବେଳେ ଏକ ସ୍କୁଟି ସହ ଧକ୍କା ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ସ୍ଥାନୀୟ ଲୋକମାନେ ସୌମ୍ୟଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଗୁରୁତର ଆହତ ସୌମ୍ୟଙ୍କର ପରେ ମୃତ୍ୟୁ ଘଟିଥିଲା।
ଏହି ମାମଲାରେ ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୧୧ ଜଣଙ୍କୁ ପୂର୍ବରୁ ପୋଲିସ ଏବଂ ପରବର୍ତ୍ତୀ ସମୟରେ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତଦନ୍ତ ଆଗକୁ ବଢ଼ିବା ସହ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି।
ଏପଟେ ସୌମ୍ୟଙ୍କ ବାପା-ମା’ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି। କେବଳ କ୍ରାଇମବ୍ରାଞ୍ଚ ନୁହେଁ, ସିବିଆଇ ତଦନ୍ତ ଦାବିରେ ସେମାନେ ଅଡ଼ି ରହିଛନ୍ତି। ସୌମ୍ୟଙ୍କ ମା’ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମାମଲାକୁ ଦବାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ନ୍ୟାୟ ନମିଳିଲେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ପରିବାର ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଏନଏଚଆରସି ଟିମ୍ର ତଦନ୍ତ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।