ଅନୁଗୋଳ: ମାନବିକତା ଭୁଲି ଯାଉଛି ମଣିଷ ସମାଜ । ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀଙ୍କ ହାତ ଗୋଡ଼ ଦିବ୍ୟାଙ୍ଗ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଖିଣ୍ଡୋ ଗ୍ରାମରେ ଏଭଳି ଘଟଣା ଘଟିଛି । ଏ ନେଇ ରେଙ୍ଗାଳି ଥାନାରେ ଉଭୟ ପକ୍ଷ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଗାଁରେ ଲୋକଙ୍କ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ଟେକା ପଥରମାଡ଼ କରିଥିଲେ । ଏ ନେଇ ଖିଣ୍ଡୋ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୋଲିସ କୌଣସି ସମାଧାନ କରିନଥିଲା । ସେ ମାନସିକ ବିକାର ଗ୍ରସ୍ତ ଥିବା କହି ପୋଲିସ ଛାଡ଼ି ଦେଇଥିଲା । ଏହା ପରେ ପୁନର୍ବାର ଉକ୍ତ ବ୍ୟକ୍ତି ଜଣକ ସମାନ ବ୍ୟବହାର ଦେଖାଥିଲେ । ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପଥର ଫୋପାଡ଼ିଥିବାବେଳେ ସେହି ପଥରରେ ଜଣକ ଘର ଭାଙ୍ଗିଥିଲା । ଏହା ପରେ ଗ୍ରାମବାସୀ ତାତି ଯାଇଥିଲେ ଏବଂ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି ।
ବ୍ୟକ୍ତିଙ୍କ ସ୍ତ୍ରୀ ଗ୍ରାମବାସୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗାଁ ଲୋକେ ତାଙ୍କ ସ୍ୱାମୀଙ୍କୁ ହାତ ଗୋଡ଼ ବାନ୍ଧି ପିଟିଥିବା ଅଭିଯୋଗ କରିଛନ୍ତି । ଏ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି।