ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲାରେ ପ୍ରତିଦିନ ଗିରଫଦାରୀଙ୍କ ସଂଖ୍ୟା ବଢ଼ୁଛି । ଗୁରୁବାର ପୁଣି ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗଣେଶ୍ୱର ଗଡ଼ାର ଅଲେଖ ଚନ୍ଦ୍ର ଜେନାଙ୍କ ପୁଅ ଅଶୋକ ଜେନା ଓରଫ୍ ଗେଡ଼ (୪୫) ।
ଅଶୋକ ଜେନା ଏହି ହିଂସାରେ ସାମିଲ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା । ଏହା ପରେ ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଲଗାତର ଚଢ଼ଉ ଜାରି ରଖିଥିଲା । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ଆତ୍ମଗୋପନ କରିଥିବାବେଳେ ଅଶୋକକୁ ଗିରଫ କରାଯାଇଛି । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗ୍ରାମରୁ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ମେ’ ୭ ତାରିଖରେ ସୌମ୍ୟରଞ୍ଜନଙ୍କୁ ଏକ ଦୁର୍ଘଟଣା ଏବଂ ଝିଅକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ସୌମ୍ୟଙ୍କ ହାତ ଓ ଗୋଡ଼କୁ ବାଉଁଶରେ ବାନ୍ଧି ଅତି ଅମାନୁଷିକଭାବେ ଅତ୍ୟାଚାର କରାଯାଇଥିଲା । ଆଉ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ସମେତ ୧୬ ଜଣ ଗିରଫ ହୋଇସାରିଲେଣି । ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ପଞ୍ଚାନନ ବଡ଼ଜେନା ଅର୍ଥାତ୍ ‘କାଳିଆ’ ଏବଂ ରଞ୍ଜିତ ରଣାଙ୍କୁ ନୟାଗଡ଼ ରଣପୁର ଜଙ୍ଗଲ ଅଞ୍ଚଳରୁ ଗିରଫ କରାଯାଇଥିଲା । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ସିସିଟିଭି ଫୁଟେଜ ଏବଂ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଜଣକ ପରେ ଲୁଚି ରହିଥିଲା ଅଭିଯୁକ୍ତଙ୍କୁ ଧରୁଛି ।