ଗଞ୍ଜାମର ବହୁଚର୍ଚ୍ଚିତ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି ପୋଲିସ। ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସୁମିତ ସିଂ ଓରଫ ସୁନୀଲ ରାଜପୁତ ଓ ମୁକେଶ ସାହୁଙ୍କୁ ନେଇ ଗୋପାଳପୁର ପୋଲିସ ଆଜି ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଅପହରଣ ଦିନ କିପରି ସମଗ୍ର ଷଡଯନ୍ତ୍ର ରଚାଯାଇଥିଲା ଏବଂ ସୁଧୀର ପାତ୍ରଙ୍କୁ କିପରି ଅପହରଣ କରାଯାଇଥିଲା, ସେନେଇ ଉଭୟ ଅଭିଯୁକ୍ତ ପୋଲିସକୁ ଡେମୋ ଦେଖାଇଥିଲେ।
ଗତକାଲି ରାତିରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡର ପ୍ରଥମ ଦିନରେ ଏଏସ୍ପି ଆଲୋକ ଜେନା ଓ ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ପରିଡା ସେମାନଙ୍କୁ ଘନଘନ ପଚରାଉଚରା କରିଥିଲେ। ଆଜି ଭାବିନାରାୟଣପୁର-ବଣଗାଁ-ମଣ୍ଡିଆପଲ୍ଲୀ ରାସ୍ତାରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା।
ଏହି ସମୟରେ ସୁମିତ ସିଂ ଓରଫ ସୁନୀଲ ରାଜପୁତ ସୁଧୀର ପାତ୍ରଙ୍କୁ କିପରି ଅପହରଣ କରାଯାଇଥିଲା, କେଉଁ ରାସ୍ତାରେ ନିଆଯାଇଥିଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା କ’ଣ ଥିଲା, ସେସବୁ ବିଷୟରେ ପୋଲିସ ସମ୍ମୁଖରେ ଡେମୋ ଦେଖାଇଥିଲା। ଅନ୍ୟପଟେ ମୁକେଶ ସାହୁ ପୋଲିସ ଗାଡ଼ିରେ ରହିଥିଲା। ତଦନ୍ତକାରୀ ଦଳ ଅପହରଣରୁ ଆରମ୍ଭ କରି ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଘଟଣାର ପ୍ରତ୍ୟେକ ପର୍ଯ୍ୟାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି।
ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ୯ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ଫେରାର ଥିବା ଚାରି ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା। ତେବେ ବ୍ରହ୍ମପୁରକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଥିବା ବେଳେ ରତନପୁର ନିକଟରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଉଭୟ ଆହତ ହୋଇ ବର୍ତ୍ତମାନ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ମାମଲାର ତଦନ୍ତ ଆହୁରି ତ୍ୱରାନ୍ୱିତ ହୋଇଛି।