ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ବକ୍ରିଦ୍ ଦିନ ଏକ ସାମାନ୍ୟ ବିବାଦକୁ ନେଇ ଜଣେ ଯୁବକଙ୍କୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଗତ ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ଅଭିଯୁକ୍ତମାନଙ୍କ ଏନକାଉଣ୍ଟର କରିବା ସହ ସେମାନଙ୍କ ଘର ଉପରେ ବୁଲ୍ଡୋଜର ଚଲାଇବାକୁ ଦାବି କରିଛନ୍ତି।
ଗୁରୁତର ଭାବେ ଆହତ ଯୁବକଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖାଦେଇଛି। ପୁଲିସ ଏହି ମାମଲାରେ ନାମଜଦ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାଟି ଜିଲ୍ଲାର ଖୋଡ଼ା ଥାନା ଅଞ୍ଚଳରେ ଘଟିଛି।
ସ୍କୁଲ ନିକଟରେ ଘେରି କରି କଲେ ଆକ୍ରମଣ
ମୃତ ଯୁବକଙ୍କ ଚିହ୍ନଟ ନବନୀତ ବିହାର (ଖୋଡ଼ା) ର ବାସିନ୍ଦା ୧୭ ବର୍ଷୀୟ ସୂର୍ଯ୍ୟା ଚୌହାନ ଭାବେ ହୋଇଛି। ପରିବାର ଲୋକଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ଘଟଣାଟି ୨୮ ମଇ ଅପରାହ୍ନ ପ୍ରାୟ ୩:୩୦ ମିନିଟ୍ରେ ଘଟିଥିଲା। ସୂଚନା ମିଳିଛି ଯେ, ସୂର୍ଯ୍ୟା ଚୌଧୁରୀ ସ୍କୁଲ ନିକଟସ୍ଥ ଏକ ଗଳିରେ ଠିଆ ହୋଇଥିବା ବେଳେ ଅସଦ, ନବାବ, ଫରହାନ, ଆତିଫ, ସାରିକ ଏବଂ ଅନ୍ୟ କେତେକ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ସୂର୍ଯ୍ୟାଙ୍କୁ ଜାବୁଡ଼ି ଧରି ତାଙ୍କ ଉପରେ ଛୁରୀରେ ପଛକୁ ପଛ ଅନେକ ଆଘାତ କରିଥିବା ଅଭିଯୋଗ ହୋଇଛି।
ଘଟଣା ସମୟରେ ପାଟି ଶୁଣି ମୃତକଙ୍କ ଭାଇ ୟଶ ଚୌହାନ ଏବଂ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରମଣକାରୀମାନେ ସୂର୍ଯ୍ୟାଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଯୁବକଙ୍କୁ ତୁରନ୍ତ ନୋଏଡା ସେକ୍ଟର-୬୨ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଅଞ୍ଚଳରେ ଉତ୍ତେଜନା, ପୁଲିସ ମୁତୟନ
ଏହି ସମ୍ବେଦନଶୀଳ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ଯୁବକ ଏବଂ ଅଭିଯୁକ୍ତମାନେ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଏବଂ ସେମାନେ ସାଙ୍ଗ ଥିଲେ। କିଛି ମାସ ପୂର୍ବେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭିଯୋଗ ହୋଇଛି ଯେ, ସେହି ପ୍ରତିଶୋଧ ନେବା ପାଇଁ ପ୍ରଥମେ ସୂର୍ଯ୍ୟାଙ୍କୁ ଫୋନ କରି ଡକାଯାଇଥିଲା ଏବଂ ପରେ ଏକ ବଡ଼ ଛୁରୀରେ ବାରମ୍ବାର ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରୁ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି।
ଏହି ସାରା ମାମଲାରେ ଇନ୍ଦିରାପୁରମ୍ ଏସିପି (ACP) ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ, ଘଟଣାର ଗମ୍ଭୀରତାର ସହ ତଦନ୍ତ କରାଯାଉଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସରିଛି। କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତଦନ୍ତରେ ଯିଏ ମଧ୍ୟ ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।
ହତ୍ୟାକାରୀଙ୍କ ଏնକାଉଣ୍ଟର ଓ ବୁଲ୍ଡୋଜର ମାଡ଼ ଦାବି କଲେ ମା’
ପୁଅକୁ ହରାଇଥିବା ମୃତ ସୂର୍ଯ୍ୟାଙ୍କ ମା’ ଆକ୍ରୋଶର ସହ କହିଛନ୍ତି ଯେ, "ହତ୍ୟାକାରୀମାନଙ୍କର ଏନକାଉଣ୍ଟର ହେବା ଉଚିତ ଏବଂ ଅଭିଯୁକ୍ତମାନଙ୍କ ଘର ଉପରେ ବୁଲ୍ଡୋଜର ଚାଲିବା ଦରକାର।" ଅନ୍ୟପଟେ ପୁଲିସ ପ୍ରଶାସନ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ କହିବା ସହ ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଶ୍ୱାସନା ଦେଇଛି।