ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ଛାତିଥରା ଦୁର୍ଘଟଣା । କାରକୁ ଧକ୍କା ଦେଇ ପାଞ୍ଚ ଶହ ମିଟର୍ ଯାଏଁ ଠେଲି ନେଲା ହାଇୱା ଗାଡ଼ି । ଅଳ୍ପକେ ବର୍ତ୍ତିଲେ ଦାଦା ଓ ଝିଆରୀ ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସତ୍ୟ ବିହାର ଛକ ନିକଟରେ ଏକ ହାଇୱା ଗାଡ଼ି ଏକ କାର (OD 02 BB 0678)କୁ ଶକ୍ତ ଦେଇଥିଲା । ପରବର୍ତ୍ତୀ ସମୟରେ କାରକୁ ୫ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ କାରଟି ରାସ୍ତାକୁ ଛିଟିକି ଯାଇଥିଲା । ସୌଭାଗ୍ୟବଶତଃ କାର୍ ଥିବା ଦାଦା ଓ ଝିଆରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଅନ୍ୟପକ୍ଷେ ହାଇୱା ଗାଡ଼ି ଚାଳକ ଫେରାର ହେଉଥିବାବେଳେ ପିସିଆର୍ ଭ୍ୟାନ୍ ତାକୁ ଦେଖି ପିଛା କରିଥିଲା । ପଳାଶୁଣୀ ନିକଟରେ ମଞ୍ଚେଶ୍ଵର ଥାନା ପୋଲିସ ପିସିଆର୍ ହାଇୱାକୁ ଅଟକାଇବାରେ ସଫଳ ହୋଇଥିଲା । ପୋଲିସ ହାଇୱା ଗାଡ଼ିକୁ ଆଉ ଏକ ଟ୍ରକ୍ ସାହାଯ୍ୟରେ ଅଟକାଯାଇଥିଲା । ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଟିପଦା ଅଞ୍ଚଳର ଜଗମୋହନ ଭୁକ୍ତ (୪୦) ଡ୍ରାଇଭର ନିଶା ସେବନ କରିନଥିବା ସ୍ପଷ୍ଟ ହୋଇଥିବାବେଳେ ଏହା ଏକ ବେପରୁଆ ଗାଡ଼ି ଚାଳନା ଥିଲା ବୋଲି ପୋଲିସ କହିଛନ୍ତି । ଦୁର୍ଘଟଣା ପରେ ମଧ୍ୟ କାହିଁକି ଗାଡ଼ିରେ ବ୍ରେକ୍ ଲଗାଇ ନ ଥିଲେ ପଚାରିବାରୁ ଟ୍ରକ୍ ଡ୍ରାଇଭର କହିଛନ୍ତି ଭିଡ଼ ହିଂସା ଭୟରେ ଗାଡ଼ି ଅଟକାଇ ନ ଥିଲେ । ଲୋକମାନେ ମାଡ଼ ମାରିବା ଭୟରେ ସେଠାରେ ସେ ପଳାଇ ଆସିଥିବା ସ୍ୱୀକାର କରିଛି ।
ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଥିବା ଦାଦା ଓ ଝିଆରୀ ଭୟଭୀତ ହୋଇପଡ଼ିଛନ୍ତି । ଦୁର୍ଘଟଣାର ଭିଡ଼ିଓ ଏବଂ କାରର ଚିତ୍ର ଦେଖିଲେ ତାହା କେତେ ଭୟଙ୍କର ଥିଲା ସ୍ପଷ୍ଟ ଅନୁମାନ କରି ହେଉଛି ।