ଭୁବନେଶ୍ୱର: ଓଡ଼ିଶାରେ ପୁଣି ଥରେ ପାଗ ବଦଳିବାକୁ ଯାଉଛି। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ ପବନ ବହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି। ଏହାସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତି ଜାରି ରହିବ ବୋଲି ମଧ୍ୟ ସତର୍କ କରାଯାଇଛି।
ଶୁକ୍ରବାର ଅପରାହ୍ନ ଓ ସନ୍ଧ୍ୟା ସମୟରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି କାରଣରୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେହିପରି ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବଜ୍ରପାତ, ଝଡ଼ ପବନ ଓ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ସହ ଅନେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରବର୍ଷା ହେବାର ସମ୍ଭାବନା ରହିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ଥିବାରୁ ରାଜ୍ୟରେ ଖୁବଶୀଘ୍ର ମୌସୁମୀ ବର୍ଷା ସକ୍ରିୟ ହୋଇପାରେ।
ତେବେ ଝଡ଼ ଓ ପ୍ରବଳ ପବନ ଯୋଗୁଁ ଫସଲ, କଦଳୀ ବଗିଚା, କଚ୍ଚା ଘର ଓ ଦୁର୍ବଳ ନିର୍ମାଣ କ୍ଷତିଗ୍ରସ୍ତ ହୋଇପାରେ ବୋଲି IMD ସତର୍କ କରିଛି। ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ବିଦ୍ୟୁତ୍ ଖୁଣ୍ଟ ଓ ଜଳାଶୟଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବାରୁ ଉତ୍ତର ଓଡ଼ିଶା ଉପକୂଳକୁ ମାଛଧରାଳିଙ୍କୁ ସମୁଦ୍ରକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଆସନ୍ତା ତିନି ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ଥିଲେ ମଧ୍ୟ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ରେ ଆହୁରି ଦୁଇ ଦିନ ୪୨ରୁ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ।