ବାରଙ୍ଗ: ପୁଣି ଥରେ ବାରଙ୍ଗ ଥାନା ପରିସର ଅଶାନ୍ତ ହୋଇପଡ଼ିଛି । ଚଣ୍ଡିପ୍ରସାଦ ଗ୍ରାମର ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ ଚାର୍ଜକୁ ନେଇ ତାତିଛନ୍ତି ଲୋକେ । କାହିଁକି ପୋଲିସ ରାକେଶଙ୍କ ବିଷୟରେ କୌଣସି ସୂଚନା ଦେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଉତ୍ତ୍ୟେକ୍ତ ଲୋକେ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି ।
ଚଣ୍ଡିପ୍ରସାଦ ଗ୍ରାମବାସୀ ଆଜି ପୁଣି ଥରେ ବାରଙ୍ଗ ଥାନାରେ ପହଁଚି ରାକେଶଙ୍କ ତଥ୍ୟ ମାଗିଛନ୍ତି । ଶତାଧିକ ସଂଖ୍ୟାରେ ଲୋକ ଥାନା ପରିସରରେ ନାରାବାଜି କରିଛନ୍ତି । ରାକେଶ ବାବଦରେ ପୋଲିସ କୌଣସି ତଥ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି । ଫଳରେ କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତା ଅବରୋଧ ହଟାଇବାକୁ ପୋଲିସ ଲୋକଙ୍କୁ ବୁଝା ସୁଝା କରୁଛି ।
ଏପଟେ ପ୍ରଶ୍ନ ଉଠୁଛି ଯଦି ରାକେଶଙ୍କ ଅଧିକ କିଛି ହୋଇ ନାହିଁ ତାହା ହେଲେ ପୋଲିସ କଣ ସମ୍ପର୍କୀୟଙ୍କୁ ତାଙ୍କ ବାବଦରେ କୌଣସି ସୂଚନା ଦେଉ ନାହିଁ । ପାଖାପାଖି ସପ୍ତାହ ବିତିଯାଇଥିଲେ ସୁଦ୍ଧା ରାକେଶ ଡାକ୍ତରଖାନାରୁ ଏଯାଏଁ ସୁସ୍ଥ ହୋଇ କାହିଁକି ଘରକୁ ଫେରୁ ନାହାଁନ୍ତି ବୋଲି ବଡ଼ ପ୍ରଶ୍ନ ।
ଗତ ମେ ୧୬ ତାରିଖରେ ବାରଙ୍ଗ ଥାନା ଅଧିନସ୍ଥ ଚଣ୍ଡିପ୍ରସାଦ ଗ୍ରାମର ରାକେଶ ବେହେରାଙ୍କ ପତ୍ନୀ ରଶ୍ମିତା ବେହେରା ନିଖୋଜ ଥିବା ନେଇ ସେ ଅଭିଯୋଗ କରିଥିଲେ । ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ପୋଲିସ ରାକେଶ, ତାଙ୍କ ଶାଶୁ ଓ ଶାଳୀଙ୍କୁ ଡାକି ମୃତ ଦେହ ଚିହ୍ନଟ କରିବାକୁ କହିଥିଲା । କିନ୍ତୁ ଉକ୍ତ ମୃତ ଦେହଟି ତାଙ୍କ ପତ୍ନୀଙ୍କର ନୁହେଁ ବୋଲି ରାକେଶ କହିଥିଲେ । ମାତ୍ର ପୋଲିସ ମୃତ ଦେହକୁ ଗ୍ରହଣ କରିବାକୁ ରାକେଶଙ୍କ ଉପରେ ଚାପ ପକାଇଥିଲା । ରାକେଶ ଏବଂ ତାଙ୍କ ସାଙ୍ଗ ମିଥୁନଙ୍କୁ ଅଟକ ରଖିଥିଲା । ସକାଳେ ମିଥୁନଙ୍କୁ ଛାଡ଼ି ଦେଇଥିବାବେଳେ ରାକେଶଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ରାକେଶ ଆଇସିୟୁରେ ଥିବା ତାଙ୍କର ଆଉ ଜଣେ ସାଙ୍ଗ କହିଥିଲେ । ଏହାରି ମଧ୍ୟରେ ରାକେଶଙ୍କ ପତ୍ନୀ ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିବା ଏବଂ ସେ ସମ୍ପୂର୍ଣ୍ଣ ଭଲ ଥିବା ଭିଡ଼ିଓ କଲରେ ପରିବାରକୁ ଜଣାଇଥିଲେ ।