ଭୁବନେଶ୍ୱର: ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ଜୁନ୍ ୧ ତାରିଖ ସୋମବାର ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଜନ ଶୁଣାଣି ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ସିଧାସଳଖ ଭାବେ ନିଜର ସମସ୍ୟା, ଅଭିଯୋଗ ଓ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିପାରିବେ। ବିଶେଷ କଥା ହେଉଛି, ଗତ ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ଜନ ଶୁଣାଣି ପାଇଁ ଯେଉଁ ଆବେଦନକାରୀମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, ସେମାନେ ଜୁନ୍ ୧ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନିଜ ଅଭିଯୋଗ ରଖିପାରିବେ। ଏଥିପାଇଁ ସେମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ ବୋଲି CMO ସ୍ପଷ୍ଟ କରିଛି।
ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରଙ୍କ ସହ ସାଧାରଣ ଜନତାଙ୍କ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।