ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ପରିବେଶକୁ ସରଗରମ କରିବାକୁ ଯାଉଛି ଏକ ବଡ଼ ଖବର। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇ କହିଛନ୍ତି ଯେ, କିଛିଦିନ ତଳେ ସେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଗ୍ରୀନ୍ ସିଗ୍ନାଲ୍ ମିଳିଥିବାରୁ ଏବେ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଜୁନ୍ ୧୨, ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ ତାରିଖ ମଧ୍ୟରୁ କୌଣସି ଗୋଟିଏ ଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ହୋଇପାରେ। ତେବେ ଚୂଡ଼ାନ୍ତ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି।
୨୦୨୪ ମସିହାରେ ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ କରି ଦୀର୍ଘ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇଥିଲା। ସେହି ସରକାରର ଦୁଇ ବର୍ଷ ପୂର୍ତ୍ତିକୁ ଭବ୍ୟ ଭାବେ ପାଳନ କରିବାକୁ ଦଳ ଓ ସରକାର ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ଭାବ୍ୟ ଗସ୍ତକୁ ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସେହିପରି ରାଜ୍ୟବାସୀଙ୍କ ନଜର ମଧ୍ୟ ଏହି ଗସ୍ତ ଉପରେ ରହିଛି। ଗସ୍ତ ସମୟରେ ରାଜ୍ୟ ପାଇଁ ନୂତନ ବିକାଶ ପ୍ରକଳ୍ପ, ପୁଞ୍ଜିନିବେଶ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବଡ଼ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।