ଝାରସୁଗୁଡ଼ା ଜିଲ୍ଲାରେ ଅବୈଧ ମଦ କାରବାର ବିରୋଧରେ ପୁଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଚାଲିଛି। ଏହି କ୍ରମରେ ମେ’ ୨୯ ତାରିଖରେ ବେଲପାହାଡ଼ ଥାନା ଅଞ୍ଚଳର ମୋହନପୁର ଓ ଉଜାଳପୁର ଗାଁରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଅବୈଧ ମହୁଲ ମଦ ଜବତ କରିଛି। ଏହି ଅଭିଯାନରେ ୯ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବେଲପାହାଡ଼ ଓ ଲଖନପୁର ଥାନା ପୁଲିସର ମିଳିତ ଟିମ୍ ବ୍ରଜରାଜନଗର ପୁଲିସ, ସଶସ୍ତ୍ର ବଳ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅବୈଧ ମଦ ପ୍ରସ୍ତୁତି ଏବଂ ବିକ୍ରି ସହ ଜଡିତ ୯ ଜଣଙ୍କୁ ଧରାଯାଇଥିଲା।
ପୁଲିସ ୭୨୨ ଲିଟର ଅବୈଧ ମହୁଲ ମଦ, ୪୭ କ୍ୱିଣ୍ଟାଲ ମହୁଲ ଫୁଲ, ୧୦ କିଲୋଗ୍ରାମ ୟୁରିଆ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସେହିପରି ପ୍ରାୟ ୧୨ କ୍ୱିଣ୍ଟାଲ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଏହି ଘଟଣାରେ ଓଡ଼ିଶା ଅବକାରୀ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ବିଭିନ୍ନ ଧାରାରେ ୯ଟି ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି।
ଝାରସୁଗୁଡ଼ା ପୁଲିସ କହିଛି ଯେ, ଅବୈଧ ମଦ ଉତ୍ପାଦନ ଓ ଚୋରା ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ଅଭିଯାନ ନିରନ୍ତର ଚାଲିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।