ମାଲକାନଗିରି: ସରକାରୀ ଯୋଜନାର ଅଗ୍ରଗତି ତଦାରଖ କରିବାକୁ ଯାଇଥିବା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଅଭାବନୀୟ ଆକ୍ରମଣର ଶିକାର ହୋଇଛନ୍ତି। ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟି ଅଞ୍ଚଳରେ ଘଟିଥିବା ଏହି ଘଟଣା ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।
ସୂଚନା ଅନୁଯାୟୀ, ମୁଦୁଲିପଡ଼ା ପଞ୍ଚାୟତର ପିଇଓ ବିଜୟ ପଣ୍ଡା ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ନିର୍ମାଣାଧୀନ ଘରଗୁଡ଼ିକର କାମ ଶୀଘ୍ର ଶେଷ କରିବା ପାଇଁ ସଚେତନ କରିବାକୁ ଛୁଟିଦିନରେ ଗାଁ ଗାଁ ବୁଲୁଥିଲେ। ସେ ଦନ୍ତିପଡ଼ା ଗାଁରେ ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରୁଥିବା ବେଳେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଅଭିଯୋଗ ଅନୁସାରେ, ଜଣେ ଲାଭାର୍ଥୀ ହଠାତ୍ ପିଇଓଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ବିଜୟ ପଣ୍ଡା ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ସେଠାରେ ଥମି ନଥିଲେ। ତାଙ୍କ ଉପରକୁ ପଥର ମାଡ଼ ମଧ୍ୟ କରାଯାଇଥିଲା। ଏହି ଆକ୍ରମଣରେ ତାଙ୍କ ପିଠି ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଆହତ ଅବସ୍ଥାରେ ସେ କୌଶଳକ୍ରମେ ସେଠାରୁ ଖସି ଆସି ମୁଦୁଲିପଡ଼ା ଥାନାରେ ପହଞ୍ଚିଥିଲେ ଏବଂ ପରେ ଚିକିତ୍ସା ପାଇଁ ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଘଟଣା ସମ୍ପର୍କରେ ସେ ଖଇରପୁଟ ବିଡିଓଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ବିଜୟ ପଣ୍ଡାଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀ ଯୁବକମାନେ ମଦ୍ୟପ ଅବସ୍ଥାରେ ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ମୁଦୁଲିପଡ଼ା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।