ବୌଦ୍ଧ: ଭତ୍ତା ପାଇଁ ବାର ଦୁଆର ହେଉଛନ୍ତି ବୃଦ୍ଧ ଦମ୍ପତ୍ତି । କିଏ ପଞ୍ଚାୟତ କାର୍ଯ୍ୟାଳୟ ଡାକିଲାଣି ତ ଆଉ କିଏ ଜନ ଅଭିଯୋଗ ଶୁଣାଣି ଶିବିର ଯିବାକୁ କହିଲାଣି । ଯିଏ ଯୁଆଡ଼େ କହିଲେ ପକ୍ଷାଘାତ ପତ୍ନୀଙ୍କ ଧରି ଦଉଡ଼ୁଛନ୍ତି ବୃଦ୍ଧ ସ୍ୱାମୀ । ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ବୃଦ୍ଧ ହିମାଂଶୁ ପ୍ରଧାନ ଓ ବୃଦ୍ଧା ପତ୍ନୀ ଧନେଶ୍ଵରୀ ପ୍ରଧାନଙ୍କୁ ଏଭଳି କଷ୍ଟ ସହିବାକୁ ପଡ଼ୁଛି ।
ହିମାଂଶୁ ପ୍ରଧାନଙ୍କ ପତ୍ନୀ ଧନେଶ୍ୱରୀ ପକ୍ଷାଘାତ ରୋଗରେ ପୀଡ଼ିତ । ଭଲ ଚଲାବୁଲା କରି ପାରୁ ନାହାଁନ୍ତ । ଖଟିଆରେ ତାଙ୍କର ଜୀବନ ବିତୁଛି । କିନ୍ତୁ ତିନି ମାସ ହେଲା ଭତ୍ତା ପାଇନାହାନ୍ତି ଧନେଶ୍ୱରୀ । ତିନି ହଜାର ଟଙ୍କା ଧାର କରଜ କରି କଷ୍ଟେ ମଷ୍ଟେ ତିନି ମାସ ଚଳେଇ ନେଇଥିଲେ ହିମାଂଶୁ । କରଜ ଟଙ୍କା ଶେଷ ହୋଇଯିବାରୁ ପତ୍ନୀଙ୍କ ଭତ୍ତା ଟଙ୍କା ଟିକେ ମିଳିଥିଲେ ସହୟତା ହୁଅନ୍ତା । ସେଥିପାଇଁ ପୁଣି କରଜ କରି ଟଙ୍କା ଆଣି ଅଟୋ ଭଡ଼ାରେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚଛନ୍ତି । ବାରମ୍ୱାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜର ପକ୍ଷାଘାତ ପତ୍ନୀଙ୍କୁ ବଡ଼ କଷ୍ଟରେ ଅଟୋରେ ଲଦି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛନ୍ତି ।
ସେପଟେ ଜିଲ୍ଲାପାଳ ସମସ୍ୟାର ସମାଧାନ ନ ବାହାର କରି ପୁଣି ଥରେ ସୋମବାର ଦିନ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣିରେ ହାଜର ହେବାକୁ କହିଥିବା କହିଛନ୍ତି ବୃଦ୍ଧ ହିମାଂଶୁ । ଏବେ ପୁଣି ଥରେ ହିମାଂଶୁଙ୍କୁ ଅଟୋ ଭଡ଼ା କରି ପକ୍ଷାଘାତ ପତ୍ନୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିବାକୁ ପଡ଼ିବ । ତେବେ ଜିଲ୍ଲାପାଳ ମହୋଦୟ ତାଙ୍କ ଦୁଃଖ ବୁଝି ଭତ୍ତା ପ୍ରଦାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ ବୋଲି ଆଶା ରଖିଛନ୍ତି ହିମାଂଶୁ l