ସମ୍ବଲପୁର ଜିଲ୍ଲାରେ ଏକ ଚର୍ଚ୍ଚିତ ହତ୍ୟା ମାମଲାରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ସାନ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବଡ଼ ଭାଇ ଅର୍ଜୁନ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରାଯାଇଛି। ରେଢାଖୋଲ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପାର୍ଥସାରଥୀ ପଟ୍ଟନାୟକ ଏହି ରାୟ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଝୋରୀ ଗାଁର ଅର୍ଜୁନ ପ୍ରଧାନ ଓ ତାଙ୍କ ସାନ ଭାଇ ଅଶୋକ କୁମାର ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୧ ମସିହାରେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ରାଗରେ ଅର୍ଜୁନ ଏକ ଟାଙ୍ଗିଆରେ ଅଶୋକଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଅଶୋକଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ମୃତକଙ୍କ ପତ୍ନୀ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଧର୍ମେନ୍ଦ୍ର ଭୋଇ ମାମଲାର ତଦନ୍ତ କରି ଅର୍ଜୁନଙ୍କୁ ଗିରଫ କରିଥିଲେ। ପରେ ବିଡୁଭୂଷଣ ମିଶ୍ର ଅଦାଲତରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିଥିଲେ।
ମାମଲାର ଶୁଣାଣି ସମୟରେ ଅଦାଲତ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୬ଟି ଦସ୍ତାବିଜକୁ ବିଚାରକୁ ନେଇଥିଲେ। ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଅଭିଯୁକ୍ତ ଅର୍ଜୁନ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ କଲେ ଅତିରିକ୍ତ ଏକ ବର୍ଷ କଠୋର କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏହି ରାୟ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।