କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୌଡ଼କାର୍ଲାଖୁଣ୍ଟା ଗ୍ରାମରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ୍ୟୁ ଘଟଣାରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏନ୍ଏଚ୍ଆରସି ସ୍ୱତଃ ସଜ୍ଞାନ ନେଇ ମାମଲା ରୁଜୁ କରିଛନ୍ତି। କମିଶନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ କଳାହାଣ୍ଡି ଏସପିଙ୍କୁ ୨ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଗୌଡ଼କାର୍ଲାଖୁଣ୍ଟା ଗ୍ରାମରେ ନିମାଇଁ ପାଲଙ୍କ ଘରେ ୧୦ ଫୁଟ ଗଭୀର ଏକ ସେପ୍ଟିକ୍ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିଲା। ପ୍ରଥମେ ଜଣେ ମିସ୍ତ୍ରୀ ଭୁଲବଶତଃ ଟାଙ୍କି ଭିତରକୁ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଘର ମାଲିକ ନିମାଇଁ ପାଲ, ତାଙ୍କ ପୁଅ ଆକାଶ ପାଲ ଏବଂ ଅନ୍ୟ ଶ୍ରମିକମାନେ ଗୋଟିଏ ପରେ ଗୋଟିଏ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ମାତ୍ର ଭିତରେ ଭରି ରହିଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ସେଠାରେ ଅଚେତ ହୋଇ ପଡ଼ିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।
ମୃତକ ମାନେ ହେଲେ ନିମାଇଁ ପାଲ (୪୮), ଆକାଶ ପାଲ (୨୮), ଅଡାଲ ମାଝୀ (୫୫), ମନୋରଞ୍ଜନ ହାତୀ (୨୭), ଛନ୍ଦା ଜାଲ (୩୨) ଏବଂ ବିପୁଳ ଜାଲ (୩୦)ଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପଙ୍କଜ ଜାନୀ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR) ରେ ଚିକିତ୍ସିତ ହେଉଛନ୍ତି।