ଭୁବନେଶ୍ୱର: ଓଡ଼ିଶା ରାଜଭବନ ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। IPS ଅଧିକାରୀ ଅନନ୍ୟା ଅବସ୍ଥୀଙ୍କୁ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ଏଡ୍-ଡି-କ୍ୟାମ୍ପ (ADC) ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ପୋଲିସ ADC ଭାବେ ଇତିହାସ ସୃଷ୍ଟି କରିଛନ୍ତି।
ରବିବାର ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଅଭିଷେକ କାର୍ଯ୍ୟକ୍ରମ ମାଧ୍ୟମରେ ଅନନ୍ୟା ଅବସ୍ତିଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଅନନ୍ୟା ଅବସ୍ତି କଟକ ସହରରେ ଏସିପି (ACP) ଭାବେ କାର୍ଯ୍ୟରତ ଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ନେତୃତ୍ୱ ଓ ପ୍ରଶାସନିକ କ୍ଷମତା ପାଇଁ ସେ ପରିଚିତ। ନୂତନ ଭୂମିକାରେ ସେ IPS ଅଧିକାରୀ କୁଲଦୀପ ମୀଣାଙ୍କ ସ୍ଥାନ ନେଇଛନ୍ତି।
ରାଜ୍ୟପାଳଙ୍କ କାର୍ଯ୍ୟରେ ଦୁଇଜଣ ADC ସହଯୋଗ କରନ୍ତି। ଜଣେ ଭାରତୀୟ ନୌସେନାରୁ ଓ ଅନ୍ୟଜଣେ ଓଡ଼ିଶା ପୋଲିସରୁ ନିଯୁକ୍ତ ହୁଅନ୍ତି। ବର୍ତ୍ତମାନ ଅନନ୍ୟା ଅବସ୍ତି ପୋଲିସ ADC ଭାବେ ଦାୟିତ୍ୱ ନେଇଥିବା ବେଳେ, ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ADC ଭାବେ କାର୍ଯ୍ୟ ଜାରି ରଖିଛନ୍ତି।
ADC ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ଦାୟିତ୍ୱ। ରାଜ୍ୟପାଳଙ୍କ ସରକାରୀ କାର୍ଯ୍ୟକ୍ରମ, ଔପଚାରିକ ସମାରୋହ ଏବଂ ବିଭିନ୍ନ ପ୍ରୋଟୋକଲ୍ ସମ୍ବନ୍ଧୀୟ କାର୍ଯ୍ୟରେ ADCଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଅନନ୍ୟା ଅବସ୍ତିଙ୍କ ଏହି ନିଯୁକ୍ତି କେବଳ ତାଙ୍କ ପାଇଁ ନୁହେଁ, ବରଂ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଭାବେ ଦେଖାଯାଉଛି।