ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁଣି ଥରେ ବିଦେଶ ମାଟିରେ ବିବାଦ ଦେଖାଦେଇଛି। ଆମେରିକାର ବାଲ୍ଟିମୋର ସହରରେ ନିର୍ଦ୍ଧାରିତ ଶାସ୍ତ୍ରୀୟ ତିଥି ପୂର୍ବରୁ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯିବାକୁ ନେଇ ପ୍ରବାସୀ ଓଡ଼ିଆ ଏବଂ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗତକାଲି ମେ’ ୩୦ ତାରିଖରେ ବାଲ୍ଟିମୋରର ଇନର ହାର୍ବର ଅଞ୍ଚଳରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ନେଇ ରଥଯାତ୍ରା କରାଯାଇଥିଲା। କିନ୍ତୁ ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ୨୦୨୬ ମସିହାର ରଥଯାତ୍ରା ଜୁଲାଇ ୧୬ରେ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ରେ ପାଳନ କରାଯିବାର ନିୟମ ରହିଛି। ଏପରି ସ୍ଥିତିରେ ଦେଢ଼ ମାସ ପୂର୍ବରୁ ରଥଯାତ୍ରା କରାଯିବାକୁ ଅନେକେ ‘ଅଦିନିଆ ରଥଯାତ୍ରା’ ବୋଲି ଅଭିହିତ କରିଛନ୍ତି।
ଏହାକୁ ବିରୋଧ କରି ମେରିଲ୍ୟାଣ୍ଡସ୍ଥିତ ଜଗନ୍ନାଥ ଅର୍ଗାନାଇଜେସନ୍ ଫର୍ ଗ୍ଲୋବାଲ୍ ଅୱେରନେସ୍ (JOGA) ପକ୍ଷରୁ ବାଲ୍ଟିମୋର ଇସ୍କନର ସଭାପତିଙ୍କୁ ଏକ ପ୍ରତିବାଦ ପତ୍ର ଦିଆଯାଇଥିଲା। ଏଥିରେ ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ଓ ନୀଳାଦ୍ରି ମହୋଦୟ ଭଳି ଶାସ୍ତ୍ରର ଉଦାହରଣ ଦେଇ କୁହାଯାଇଛି ଯେ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ବ୍ୟତୀତ ଅନ୍ୟ କୌଣସି ଦିନରେ ରଥଯାତ୍ରା ପାଳନ କରିବା ଶାସ୍ତ୍ର ବିରୋଧୀ।
ପ୍ରବାସୀ ଓଡ଼ିଆଙ୍କ କହିବା ଅନୁଯାୟୀ, ପୁରୀ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ରଥଯାତ୍ରା କେବଳ ନିର୍ଦ୍ଧାରିତ ତିଥିରେ ହିଁ ପାଳନ ହେବା ଉଚିତ୍। ସେମାନେ ଇସ୍କନର ବିଶ୍ୱବ୍ୟାପୀ ରଥଯାତ୍ରା ପ୍ରଚାରକୁ ସମ୍ମାନ ଜଣାଇଥିଲେ ମଧ୍ୟ, ପରମ୍ପରା ଓ ଶାସ୍ତ୍ରୀୟ ବିଧିକୁ ଅବମାନନା ନକରିବାକୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ, ରଥଯାତ୍ରାରେ ଯୋଗଦେଇଥିବା ଭକ୍ତମାନେ ଉତ୍ସାହର ସହ ପାଳନ କରିଥିବା ବେଳେ ସୋସିଆଲ୍ ମିଡିଆରେ ଅନେକ ଜଗନ୍ନାଥପ୍ରେମୀ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ସୁବିଧା ପାଇଁ ତିଥି ପରିବର୍ତ୍ତନ କରିବା ମହାପ୍ରଭୁଙ୍କ ପରମ୍ପରା ଓ ଭାବନା ସହ ଖେଳିବା ସମାନ। ଏବେ ଏହି ବିବାଦକୁ ନେଇ ଇସ୍କନର ବିଶ୍ୱ ନେତୃତ୍ୱ କି ପଦକ୍ଷେପ ନେଉଛି, ସେଥିପ୍ରତି ସମସ୍ତ ଜଗନ୍ନାଥ ଭକ୍ତଙ୍କ ନଜର ରହିଛି।