କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ବୈଦେଶ୍ୱର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ଏକ ବେପରୁଆ ହାଇୱା ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ଶନିବାର ବିଳମ୍ବିତ ରାତିରେ ଟଙ୍କଧର ଜେନା ନିଜ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗତି ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏହା ପରେ ହାଇୱାଟି ତାଙ୍କ ଉପରେ ଚଢ଼ିଯାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଟଙ୍କଧରଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ସ୍ଥାନୀୟ ଲୋକେ ରାସ୍ତାରେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ। ବାରମ୍ବାର ହାଇୱା ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। କ୍ଷତିପୂରଣ ଓ ଦୋଷୀ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରି ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା।
ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଅବରୋଧ ହଟିଥିଲା। ପୋଲିସ ତଦନ୍ତ ଜାରି ରଖିବା ସହ ୩ଟି ହାଇୱା ଜବତ କରି ଥାନାରେ ଅଟକ ରଖିଛି। ଏପଟେ ମୃତ ଯୁବକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ କାନ୍ଦ ବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଥିଲା। ଘରର ଏକମାତ୍ର ପୁଅକୁ ହରାଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।