ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୬ରେ ପ୍ରଥମ ବିଜୟ ଅପେକ୍ଷାରେ ରହିଛି । ତିନି ଥରର ଚାମ୍ପିଅନ କେକେକଆର ଚଳିତ ସିଜିନରେ ୪ଟି ଖେଳି ୩ଟି ହାରିଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଥିଲା । ଏହି କ୍ରମରେ ଆଜି କୋଲକାତା ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୬ର ୨୨ତମ ମ୍ୟାଚ୍ ଖେଳାଯିବ । ଅନ୍ୟପଟେ ଚେନ୍ନାଇ ୪ଟି ମ୍ୟାଚରୁ କେବଳ ଗୋଟିଏ ଜିତିଛି । କେକେଆରକୁ ଆଜିର ମ୍ୟାଚ୍ ଜିତିବାକୁ ହେଲେ ଚେନ୍ନାଇର ଚକ୍ରବ୍ୟୁହ ଭେଦିବାକୁ ପଡିବ । ତେବେ ଯାଇ ଦଳ ଚଳିତ ସିଜିନରେ ନିଜର ପ୍ରଥମ ବିଜୟ ପାଇ ପାରିବ ।
ଆଇପିଏଲ୍ ୨୦୨୬ରେ ପାଞ୍ଚ ଥରର ଚାମ୍ପିଅନ ସିଏସକେକୁ ପ୍ରଥମ ବିଜୟ ପାଇଁ ତିନୋଟି ମ୍ୟାଚ୍ ଅପେକ୍ଷା କରିବାକୁ ପଡିଥିଲା । ସିଏସକେ ପ୍ରଥମ ତିନୋଟି ମ୍ୟାଚ୍ ଧୋନିଙ୍କ ବିନା ହାରିଥିଲା । ମାତ୍ର ଚତୁର୍ଥ ମ୍ୟାଚ୍ ସଞ୍ଜୁ ସାମସନଙ୍କ ଶତକ ଓ ଜେମି ଓଭରଟନଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିଥିଲା । ଦଳ ଏହି ବିଜୟର ଲୟକୁ ବଜାୟ ରଖିବାକୁ ଚେଷ୍ଟା କରିବ । ଅନ୍ୟପଟେ କେକେଆର ଆଜିର ମ୍ୟାଚ୍ ଜିତି ପ୍ଲେ ଅଫ ପାଇଁ ଆଶା ଉଜ୍ଜିବୀତ ରଖିବାକୁ ଚାହିଁବ ।
ଆଇପିଏଲରେ ପ୍ଲେ ଅଫ ପାଇଁ ଅନ୍ତତଃ ୮ଟି ମ୍ୟାଚ୍ ଜିତିବାକୁ ପଡିବ । ଯଦି କେକେଆର ଟିମ୍ ଚେନ୍ନାଇଠୁ ହାରେ ତେବେ ଦଳ ପାଖରେ ଆଉ ୯ଟି ମ୍ୟାଚ୍ ରହିବ । ସେଥିରୁ ୮ଟି ମ୍ୟାଚ୍ ଜିତିବାକୁ ପଡିବ, ଯାହା ବହୁତ କଷ୍ଟକର ହେବ । ଆଜିଙ୍କ୍ୟ ରାହାଣେଙ୍କ ଉପରେ ମଧ୍ୟ ଚାପ ରହିବ, କାରଣ ତାଙ୍କ ନେତୃତ୍ୱରେ ଦଳ ଦ୍ୱିତୀୟ ବର୍ଷ ଖେଳୁଛି ଏବଂ ଦଳ ପ୍ରଦର୍ଶନ ନିମ୍ନମାନର ରହିଛି । ଯଦି ଏମିତି ଦଳ ଆଉ ଗୋଟିଏ କି ଦୁଇଟି ମ୍ୟାଚ୍ ହାରିଲେ ରାହାଣେଙ୍କୁ ଅଧିନାୟକ ପଦରୁ ହଟାଯାଇପାରେ ।
ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଚେନ୍ନାଇ ନବମରେ ଥିବା ବେଳେ କୋଲକାତା ସବୁଠୁ ତଳେ ଦଶମରେ ରହିଛି । ଯଦି କେକେଆର ଆଜିର ମ୍ୟାଚ୍ ଜିତେ ତେବେ ଦଳ ଅଷ୍ଟମ ସ୍ଥାନରେ ପହଞ୍ଚିବ । ଯଦି ଚେନ୍ନାଇ ଜିତେ ତେବେ ଦଳ ସପ୍ତମଠୁ ନେଇ ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ଯାଇପାରେ । ଏଥିପାଇଁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ନେଟ୍ ରନ ରେଟ୍ ଉପରେ ଧ୍ୟାନ ଦେବାକୁ ପଡିବ।
ଚେନ୍ନାଇ ସୁପର କିଙ୍ଗସର ସମ୍ଭାବିତ ଏକାଦଶ
ଋତୁରାଜ ଗାଏକ୍ୱାଡ(ଅଧିନାୟକ), ସଞ୍ଜୁ ସାମସନ(ୱିକେଟ୍ କିପର), ଆୟୁଷ ମହାତ୍ରେ, ସରଫରାଜ ଖାନ, ଡେୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଜେମି ଓଭରଟନ, ଅକିଲ ହୁସେନ, ନୂର ଅହମ୍ମଦଦ, ଖଲିଲ ଅହମ୍ମଦ, ଅଂଶୁଲ କମ୍ବୋଜ ଓ ଗୁରଜପନୀତ ସିଂ ।
କୋଲକାତା ନାଇଟ୍ ରାଇଡର୍ସର ସମ୍ଭାବିତ ଏକାଦଶ
ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଫିନ ଆଲେନ, କ୍ୟାମେରୁନ ଗ୍ରୀନ, ଅଙ୍ଗକୃଷ ରଘୁବଂଶୀ(ୱିକେଟ୍ କିପର), ରିଙ୍କୁ ସିଂ, ରୋଭମ୍ୟାନ ପାୱେଲ, ରମଣଦୀପ ସିଂ, ଅନୁକୂଲ ରୟ, ସୁନୀଲ ନାରିନ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗି ଓ ବୈଭବ ଆରୋରା ।