ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର କଂଗ୍ରେସର ବରିଷ୍ଠ ନେତା ପବନ ଖେଡାଙ୍କୁ ବଡ ଝଟକା ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଖେଡାଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ମିଳିଥିବା ଆଗୁଆ ଜାମିନ ଉପରେ ରୋକ୍ ଲଗାଇଛନ୍ତି । ପବନ ଖେଡାଙ୍କ ବିରୋଧରେ ଆସାମ ପୋଲିସ ଦ୍ୱାରା ରୁଜୁ ସଂପର୍କିତ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।
ପବନ ଖେଡା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକ ଭୂୟାଁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ । ଖେଡା କହିଥିଲେ ରିନିକି ଭୂୟାଁଙ୍କ ନିକଟରେ ଅଲଗା ଅଲଗା ଦେଶର ଅନେକ ପାସପୋର୍ଟ ରହିଛି । ଏହି ମାମଲାରେ ସମ୍ଭାବିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଖେଡା ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଠାରେ ତାଙ୍କୁ ଗୋଟିଏ ସପ୍ତାହର ଅନ୍ତରୀଣ ଜାମିନ ମିଳିଥିଲା ।
ସୁପ୍ରିମକୋର୍ଟରେ କଣ ଘଟିଲା ?
ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଅତୁଲ ଏସ ଚନ୍ଦୁରକରଙ୍କ ପୀଠ ଆସାମ ସରକାରଙ୍କ ଅପିଲ୍ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶ ଉପରେ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି ପବନ ଖେଡା ଆସାମର କୌଣସି ଉଚିତ୍ ଅଦାଲତରେ ଆଗୁଆ ଜାମିନ ପାଇଁ ଆବେଦନ କରନ୍ତି ତେବେ ସୁପ୍ରିମକୋର୍ଟ ବର୍ତ୍ତମାନ ଲଗାଉଥିବା ଜାମିନ ରୋକର ପ୍ରଭାବ ଉକ୍ତ ଆବେଦନ ଉପରେ ପଡିବ ନାହିଁ । ଅର୍ଥାତ ଯଦି ଆସାମର କୌଣସି ଅଦାଲତଙ୍କଠୁ ଖେଡାଙ୍କୁ ଆଗୁଆ ଜାମିନ ମିଳେ ତେବେ ତାହା ମାନ୍ୟ ରହିବ ।
ଆସାମ ସରକାରଙ୍କ ଦଲିଲ
ଆସାମ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଦାଲତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଏସଜି କହିଛନ୍ତି ପବନ ଖେଡାଙ୍କ ଯାଚିକାରେ ଏହା ସ୍ପଷ୍ଟ ନାହିଁ ଯେ, ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ଅଧିକାର କ୍ଷେତ୍ର କୁଆଡୁ ଆସିଲା । ହାଇକୋର୍ଟ ମଧ୍ୟ ଏହି ତଥ୍ୟକୁ ଅଣଦେଖା କରିଲେ ଯେ, ଏଫଆଇଆରରେ ରୁଜୁ ଅପରାଧ ଅନୁସାରେ ଅଭିଯୁକ୍ତଙ୍କୁ ସର୍ବାଧିକ ୧୦ ବର୍ଷର ଜେଲ ଦଣ୍ଡର ପ୍ରାବଦାନ ରହିଛି ।
ଆଧାରକୋର୍ଡରୁ ଖୋଲିଲା ପୋଲ୍
ଶୁଣାଣୀ ସମୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ, ତେଲେଙ୍ଗାନା ହାଇକୋର୍ଟରେ ଯାଚିକା ଦାୟର ପାଇଁ ଖେଡ ନିଜ ପତ୍ନୀଙ୍କ ଆଧାର କାର୍ଡ ଉପସ୍ଥାପନ କରିଥିଲେ । ଯଦ୍ୱାରା ସେ ଏହା ଦର୍ଶାଇ ପାରିବେ ଯେ, ସେ ତେଲେଙ୍ଗାନାର ନିବାସୀ । ଏହି ଆଧାରକାର୍ଡ ଆଧାରରେ ଏହି ମାମଲା ତେଲେଙ୍ଗାନା ହାଇକୋର୍ଟଙ୍କ ଅଧିକାର କ୍ଷେତ୍ରରେ ଆସୁଛି । ଏହାକୁ ଆସାମ ପୋଲିସ ପକ୍ଷରୁ ହାଜର ସଲିସିଟର ଜେନେରାଲ କଡା ବିରୋଧ କରିଥିଲେ ।