ସୁବର୍ଣ୍ଣପୁର: ଏକ କାର୍ ଭିତରୁ ବିଡ଼ା ବିଡ଼ା ନକଲି ନୋଟ୍ ଜବତ କରିଛି ସୋନପୁର ପୋଲିସ । ନକଲି ନୋଟ୍ କାରବାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଜଣେ ନୟାଗଡ଼ର ହୋଇଥିବାବେଳେ ଆଉ ଜଣେ ଯାଜପୁରର ବୋଲି ଜଣାପଡ଼ିଛି । ଏହା ସହିତ କଳା ସ୍କର୍ଫିଓ ଗାଡ଼ି, ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଛି । ଏ ନେଇ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ମୁତାବକ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ସନ୍ଦେହ କରି ଅଟକାଇଥିଲା । ସେହି ସ୍କର୍ପିଓରେ ଯୁବକମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗରେ ପୁଳା ପୁଳା ଟଙ୍କା ଥିବାର ଦେଖାଯାଇଥିଲା । ଉକ୍ତ ବ୍ୟାଗ୍ ୧୬୯୫ଟି ୫ ଶହ ଟଙ୍କିଆ ନୋଟ୍ ମିଳିଥିଲା । ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା । ମୋଟ୍ ୮ ଲକ୍ଷ ୪୭ ହଜାର ନକଲି ନୋଟ୍ ବାହାରିଥିଲା ।
ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସେମାନେ ବରଗଡ଼ରୁ ନକଲି ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କହିଛନ୍ତି । ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ସୋନପୁର ପୋଲିସ ତଦନ୍ତ ଜାରି ରଖିଛି ।