ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପିଆନ୍ ଇକୋନୋମିକ କରିଡର (IMEC) ବିଶ୍ୱର ବଦଳୁଥିବା ପରିସ୍ଥିତି ଏବଂ ସମୁଦ୍ର ମାର୍ଗରେ ବଢ଼ୁଥିବା ବିପଦ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବିକଳ୍ପ। ଏହା କେବଳ ଏକ ବ୍ୟାପାରିକ ପ୍ରୋଜେକ୍ଟ ନୁହେଁ, ବରଂ ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା ଏବଂ ଶକ୍ତି ସୁରକ୍ଷାର କବଚ ସାବ୍ୟସ୍ତ ହୋଇପାରେ।
ବିଶ୍ୱର ବଦଳୁଥିବା ସ୍ଥିତି ଏବଂ ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ IMEC ଏକ ବଡ଼ ରଣନୈତିକ ବିକଳ୍ପ ଭାବେ ଉଭା ହେଉଛି। ନୂଆଦିଲ୍ଲୀ ସ୍ଥିତ 'International Centre for Peace Studies' ର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ଭୂ-ରାଜନୈତିକ ଅସ୍ଥିରତା ଭାରତ ପାଇଁ ଏକ ସୁଯୋଗ, ଯାହାଦ୍ୱାରା ଏହି କରିଡରକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ। IMEC ଏକ ମଲ୍ଟିମୋଡାଲ୍ କନେକ୍ଟିଭିଟି କରିଡର, ଯାହା ସମୁଦ୍ର ଏବଂ ରେଳ ମାର୍ଗକୁ ଯୋଡ଼ି ଭାରତ, ମଧ୍ୟ-ପ୍ରାଚ୍ୟ ଓ ୟୁରୋପ ମଧ୍ୟରେ ଦ୍ରୁତ ଏବଂ ସୁରକ୍ଷିତ ସମ୍ପର୍କ ସ୍ଥାପନ କରିବ।
ଏହି କରିଡରର ଦୁଇଟି ମୁଖ୍ୟ ଅଂଶ ରହିବ:
୧. ପୂର୍ବ କରିଡର: ଭାରତରୁ ସମୁଦ୍ର ମାର୍ଗରେ ୟୁଏଇ (UAE) ପର୍ଯ୍ୟନ୍ତ।
୨. ପଶ୍ଚିମ କରିଡର: ୟୁଏଇରୁ ରେଳ ନେଟୱାର୍କ ଜରିଆରେ ସୌଦି ଆରବ, ଜର୍ଦ୍ଦାନ ଏବଂ ଇସ୍ରାଏଲ୍ ଦେଇ ୟୁରୋପ ପର୍ଯ୍ୟନ୍ତ। ଏହିପରି ଭାବେ ଏହା ସମୁଦ୍ର ଏବଂ ରେଳପଥର ଏକ ଆଧୁନିକ ହାଇବ୍ରିଡ୍ ନେଟୱାର୍କ ହେବ।
କାହିଁକି ବଢ଼ିଲା IMEC ର ଗୁରୁତ୍ୱ?
ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରମୁଖ ସମୁଦ୍ର ମାର୍ଗଗୁଡ଼ିକ ଏବେ ସୁରକ୍ଷିତ ନାହାନ୍ତି। ବିଶେଷ କରି 'ହର୍ମୁଜ' (Hormuz) ଏବଂ 'ବାବ-ଅଲ୍-ମାନ୍ଦେବ' (Bab-el-Mandeb) ଏକ ବଡ଼ ଜିଓପଲିଟିକାଲ୍ ଫ୍ଲାସପଏଣ୍ଟ ପାଲଟିଛି। ହର୍ମୁଜ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ହେଉଥିବା ବେଳେ ବାବ-ଅଲ୍-ମାନ୍ଦେବ ଦେଇ ଦୁନିଆର ପ୍ରାୟ ୧୦ ପ୍ରତିଶତ ତୈଳ ଏବଂ ୨୦ ପ୍ରତିଶତ ଇଣ୍ଟରନେଟ୍ ଟ୍ରାଫିକ୍ ଗତି କରିଥାଏ।
ହୁତି ଏବଂ ଇରାନର ଗତିବିଧିରୁ ବିପଦ
ଯଦି ଏହି ସଙ୍କଟ ଗଭୀର ହୁଏ, ତେବେ ଜାହାଜଗୁଡ଼ିକୁ ଆଫ୍ରିକା ଦେଇ ଲମ୍ବା ରାସ୍ତାରେ ଯିବାକୁ ପଡ଼ିଥାଏ। ଏହାଦ୍ୱାରା ଖର୍ଚ୍ଚ ଏବଂ ସମୟ ଉଭୟ ବଢ଼ିଯାଏ। ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଥିବାରୁ ଏହି ଚୋକ୍-ପଏଣ୍ଟ (Chokepoint) ଗୁଡ଼ିକରେ ବିପଦ ଭାରତୀୟ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଥାଏ।
ଚୀନ୍ର BRI କୁ ଜବାବ
IMEC କୁ ଚୀନ୍ର 'ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍' (BRI) ର ବିକଳ୍ପ ଭାବେ ଦେଖାଯାଉଛି। ଏହାଦ୍ୱାରା ଭାରତକୁ ବିଶ୍ୱ ବାଣିଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବ। ଭାରତ 'Operation Prosperity Guardian' ରେ ସାମିଲ ନହୋଇ ମଧ୍ୟ ନିଜର ସ୍ୱାର୍ଥ ରକ୍ଷା କରିଛି।
IMEC କରିଡରର ଫାଇଦା
ଏହା ଭାରତ-ୟୁରୋପ ବାଣିଜ୍ୟର ଏକ ନୂଆ ଢାଞ୍ଚା ପ୍ରସ୍ତୁତ କରିବ। ଏହା ଏକ ସୁପର କନେକ୍ଟିଭିଟି ନେଟୱାର୍କ, ଯେଉଁଠାରେ ଜାହାଜ ଏବଂ ଟ୍ରେନ୍ ମିଶି ଭାରତରୁ ୟୁରୋପ ପର୍ଯ୍ୟନ୍ତ ସାମଗ୍ରୀ, ଶକ୍ତି ଏବଂ ଡାଟାକୁ ଦ୍ରୁତ, ସୁରକ୍ଷିତ ଓ ଶସ୍ତାରେ ପହଞ୍ଚାଇବେ। ଯଦି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଏ, ତେବେ ଆଗାମୀ ସମୟରେ ଭାରତ ବିଶ୍ୱ ବାଣିଜ୍ୟ ଏବଂ ରଣନୀତିର କେନ୍ଦ୍ରବିନ୍ଦୁ ପାଲଟିବ।