ନୂଆଦିଲ୍ଲୀ, ଗୋଟିଏ ପଟେ ତାମିଲନାଡ଼ୁ ନିର୍ବାଚନ ଚାଲିଥିବାବେଳେ ଏପଟେ ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପାଇଁ ଅଡ଼ୁଆ ବଢ଼ିଛି । ମାଡ୍ରାସ୍ ହାଇକୋର୍ଟ ଅଭିନେତା ବିଜୟଙ୍କ ନିର୍ବାଚନୀ ସତ୍ୟପାଠରେ ୧୦୦ କୋଟିରୁ ଅଧିକ ଟଙ୍କାର ହେରଫେର କରିବାକୁ ନୋଟିସ୍ ଜାରି କରିଛନ୍ତି । ଏହି ବିଷୟରେ ପ୍ରତିକ୍ରିୟା ଦାଖଲ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଜୟଙ୍କ ଦଳ ପ୍ରଥମ ଥର ପାଇଁ ନିର୍ବାଚନରେ ଭାଗ ନେଇଛି ।
ବିଜୟ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତ୍ରିଚି ଏବଂ ପେରାମ୍ବୁର ପାଇଁ ସେ ନାମାଙ୍କନ ଭରିଛନ୍ତି । ମାତ୍ର ପେରାମ୍ବୁରର ଜଣେ ମତଦାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜୟଙ୍କ ଦ୍ୱାରା ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଦାଖଲ କରାଯାଇଥିବା ସତ୍ୟପାଠରେ ଘୋଷିତ ଆୟରେ ବିସଙ୍ଗତି ରହିଥିବା ଅଭିଯୋଗ କରିଛନ୍ତି । ତ୍ରିଚି ଆସନ ପାଇଁ ଦାଖଲ କରାଯାଇଥିବା ଦଲିଲରେ ବିଜୟଙ୍କ ଘୋଷିତ ଆୟ ୨୨୦ କୋଟି ରହିଥିବାବେଳେ ଅନ୍ୟ ଆସନ ପାଇଁ ଦାଖଲ ସତ୍ୟପାଠରେ ତାଙ୍କ ଆୟ ୧୧୫ କୋଟି ଦର୍ଶାଯାଇଛି । ପ୍ରାୟ ୧୦୫ କୋଟିର ପାର୍ଥକ୍ୟ ରହିଛି । ଯାହାର ଆଜି ହାଇକୋର୍ଟ ଶୁଣାଣି କରି ଆୟକର ବିଭାଗକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ତାମିଲନାଡୁରେ ବିଜୟଙ୍କ ଦଳ ଟିଭିକେ ପ୍ରଥମ ଥର ନିର୍ବାଚନରେ ଅଂଶ ଗ୍ରହଣ କରିଛି । ତିରୁଚିରାପାଲି (ପୂର୍ବ) ନିର୍ବାଚନମଣ୍ଡଳୀରେ, ବିଜୟ ଡିଏମକେର ଇନିଗୋ ଏସ. ଇରୁଦୟାରାଜଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ପେରାମ୍ବୁରରେ ସେ ବର୍ତ୍ତମାନର ଡିଏମକେ ବିଧାୟକ ଆର.ଡି. ଶେଖରଙ୍କ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେଉଛନ୍ତି ।