ନୂଆଦିଲ୍ଲୀ: ଭାରତୀୟ ମହାନ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କୁ ରାଷ୍ଟ୍ର ପୁତ୍ର ଘୋଷିତ କରାଯାଉ । ଏହା ବ୍ୟତୀତ ତାଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ଫୌଜକୁ ଭାରତର ସ୍ୱାଧୀନତାର ଶ୍ରେୟ ଦିଆଯାଉ । ଏମିତି ଦାବି ସହିତ ସୁପ୍ରିମକୋର୍ଟରେ ଆଜି ଏକ ଯାଚିକା ଦାଖଲ କରାଯାଇଛି । ଆଉ ଏହାକୁ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି । କେବଳ ଏତିକି ନୁହେଁ ଜନସ୍ୱାର୍ଥ ମାମଲା ଦାଖଲ କରିଥିବା ଓକିଲଙ୍କୁ ମଧ୍ୟ ଅଦାଲତ ଛାଟ ବଜାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଆପଣ ଏ ପର୍ଯ୍ୟନ୍ତ ସୁଧୁରି ପାରିଲେ ନାହିଁ । ଆପଣ କୋର୍ଟଙ୍କ ସମୟ ଖରାପ କରୁଥିବା ସିଜେଆଇ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲା ବାଗଚୀଙ୍କ ପୀଠ କହିଛନ୍ତି ।
ଯାଚିକାକର୍ତ୍ତା ପି ମହାନ୍ତିଙ୍କୁ ସିଜେଆଇ କହିଛନ୍ତି ଯେ, ଆପଣ ସର୍ବଦା ଏମିତି ହିଁ କାମ କରୁଛନ୍ତି । ଏହି ପରି ଯାଚିକା ଆପଣଙ୍କ ପକ୍ଷରୁ ପୂର୍ବରୁ ଅନେକ ଆସିଛି । ଯଦି ଆପଣଙ୍କ ଆଭିମୁଖ୍ୟରେ ସୁଧାର ନ ଆସେ ତେବେ ଆପଣଙ୍କ ସୁପ୍ରିମକୋର୍ଟରେ ପ୍ରବେଶ ଉପରେ କଟକଣା ଲଗାଯିବ । ଏହା ସହିତ ପ୍ରଧାନ ବିଚାରପତି ତାଗିଦ କରି କହିଛନ୍ତି, ଆପଣ ପୂର୍ବରୁ ମଧ୍ୟ ଏମିତି ମନମୁଖୀ ଯାଚିକା ଦାଖଲ କରିଛନ୍ତି । ଏମିତି କରି ଆପଣ ଅଦାଲତଙ୍କ ସମୟ ବରବାଦ କରୁଛନ୍ତି ।
ଅଦାଲତ କହିଛନ୍ତି, ଆପଣ ଏହି ଯାଚିକା କେବଳ ଏଥିପାଇଁ ଦାଖଲ କରୁଛନ୍ତି ଯଦ୍ୱାରା ଆପଣଙ୍କୁ ଲୋପ୍ରିୟତା ମିଳୁ । ଏହା ପୂର୍ବରୁ ଆପଣଙ୍କ ଏମିତି ଅନେକ ଯାଚିକାୁ କୋର୍ଟ ଖାରଜ କରିଛନ୍ତି । ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ର ବିଭାଗକୁ କହିଛନ୍ତି ଯେ, ଭବିଷ୍ୟତରେ ଏହି ବ୍ୟକ୍ତିଙ୍କର କୌଣସି ବି ପିଆଇଏଲ ରେଜିଷ୍ଟର କରିବେ ନାହିଁ । ପୂର୍ବରୁ ଅନେକ ଓକିଲଙ୍କ ଏହିପରି ପିଆଇଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନାବଶ୍ୟକ ପିଆଇଏଲ ଦାଖଲ କରି ଓକିଲମାନେ ନିଜର ଲୋକପ୍ରିୟତା ବଢାଇବା ଉଦ୍ଦେଶ୍ୟରେ କୋର୍ଟଙ୍କ ସମୟ ଅପଚୟ କରୁଥିବା ଖଣ୍ଡପୀଠ କହିଛନ୍ତି ।
Also Read: ଭୋଟର୍ ତାଲିକାରୁ ୯.୮ ଲକ୍ଷ ବାଦ୍, ମୃତ ବ୍ୟକ୍ତିଙ୍କ ପୂର୍ଣ୍ଣ ଯାଞ୍ଚ ପାଇଁ ସିଇଓଙ୍କ ନିର୍ଦ୍ଦେଶ